ଖଣି ଅଞ୍ଚଳରେ ପାର୍ବଣ ଫିକା

କେନ୍ଦୁଝର,୪ା୧୦(ସ୍ବ.ପ୍ର.): ଖଣିଖାଦାନ ଓ ଶିଳ୍ପ ବହୁଳ କେନ୍ଦୁଝର ଜିଲାରେ ମା’ ଦୁର୍ଗାଙ୍କ ପୂଜା, ପାର୍ବଣ ଅଞ୍ଚଳରେ ଅନ୍ୟତମ ପ୍ରମୁଖ ଉତ୍ସବ ଭାବରେ ପାଳିତ ହୋଇଥାଏ। କୋଭିଡ୍‌ ପରେ ଉତ୍ସବ ଚଳିତ ବର୍ଷ ଧୁମ୍‌ଧାମରେ ପାଳନ ହେବା ନେଇ ସମସ୍ତେ ଆଶା ରଖିଥିଲେ। କିନ୍ତୁ ଖଣିଖାଦାନ ଓ ଶିଳ୍ପ ବନ୍ଦ ସହିତ ଟ୍ରକ୍‌ ଚଳାଚଳ ବନ୍ଦ ଯୋଗୁ ପୂଜା ଫିକା ପଡ଼ିଛି। ବନ୍ଦ ପରିସ୍ଥିତିରେ ଲୋକଙ୍କ ହାତରେ ପଇସା ନାହିଁ। ଅନେକ ଟ୍ରକ ରାସ୍ତା କଡ଼ରେ ମାସ ମାସ ଧରି ଛିଡ଼ା ହୋଇଥିବା ବେଳେ ଗ୍ୟାରେଜ, ଢାବା ଆଦି ବନ୍ଦ ହୋଇଯାଇଛି। ଜିଲାରେ ପାଖାପାଖି ୭୦ ଖଣି ବନ୍ଦ ରହିଥିବା ବେଳେ ବହୁ ଶିଳ୍ପ ବନ୍ଦ ରହିଛି। ଫଳରେ ଲକ୍ଷାଧିକ ପରିବାର ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ଜିଲାର ଅର୍ଥନୈତିକ ଅବସ୍ଥା ମଧ୍ୟ ଭଲ ନାହିଁ। ଏକ୍ସାସାଇଜ ଡ୍ୟୁଟି ବୃଦ୍ଧି ଯୋଗୁଁ ପିଲେଟ ତଥା ଅନ୍ୟ ସ୍ପଞ୍ଜ, ଷ୍ଟିଲ୍‌ ମାର୍କେଟରେ ମଧ୍ୟ ମାନ୍ଦାବସ୍ଥା ରହିଛି।