Categories: ଜାତୀୟ

ପାର୍ଟନରଙ୍କୁ ପ୍ରେସର୍‌ କୁକରରେ ପିଟି ହତ୍ୟା

ବେଙ୍ଗାଲୁରୁ,୨୯।୮: ଲିଭ୍‌ ଇନ୍‌ ରିଲେସନ୍‌ଶିପ୍‌ରେ ରହୁଥିବା ଯୁବତୀ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବା ସନ୍ଦେହ କରି ପ୍ରେସର୍‌ କୁକରରେ ପିଟି ହତ୍ୟା କରିଛନ୍ତି ପ୍ରେମିକ। ଶନିବାର ରାତିରେ ଏହି ଘଟଣା ଘଟିଥିଲାବେଳେ ପୋଲିସ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି। ମୃତ ପ୍ରେମିକା ଥିରୁଭାନନ୍ତପୁରମ୍‌ର ଦେବା ଏସ୍‌ ହୋଇଥିବାବେଳେ ଅଭିଯୁକ୍ତ ବୈଷ୍ଣବ ହେଉଛନ୍ତି କେରଳର କୋଲମ୍‌ ଅଞ୍ଚଳର। ଅନ୍ୟ ପୁରୁଷ ସହ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିଲା। ଶନିବାର ରାତିରେ ବୈଷ୍ଣବ ହତ୍ୟା ଉଦ୍ଦେଶ୍ୟରେ ପ୍ରଥମେ ପ୍ରେସର୍‌ କୁକରରେ ଥିବା ଭାତ ଖାଲି କରିଥିଲେ। ଏହାପରେ ପ୍ରେମିକାଙ୍କ ମୁଣ୍ଡକୁ ବାରମ୍ବାର ପ୍ରହାର କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ପ୍ରେମିକା ଦେବାଙ୍କ ମୃତ୍ୟୁ ଘଟିଥିଲା। ଦେବାଙ୍କ ଭଉଣୀ କ୍ରିଷ୍ଣା ତାଙ୍କୁ ଫୋନ୍‌ କରିବା ପରେ ସେ ଉଠାଇନଥିଲେ। ତେଣୁ ସେ ପଡ଼ୋଶୀଙ୍କୁ ଫୋନ୍‌ କରିବାରୁ ଘଟଣା ସାମ୍ନାକୁ ଆସିଥିଲା। ହତ୍ୟା କରିବା ପରେ ବୈଷ୍ଣବ ଘଟଣାସ୍ଥଳରୁ ଫେରାର ହୋଇଥିଲେ। କ୍ରିଷ୍ଣା କହିଛନ୍ତି, ଘଟଣା ଦିନ ସକାଳେ ଦେବା ଓ ବୈଷ୍ଣବ ତାଙ୍କ ଘରକୁ ଆସିଥିଲେ ଏବଂ ସେଠାରେ କୌଣସି କଥାକୁ ନେଇ ପାଟିତୁଣ୍ଡ କରିଥିଲେ। ଦେବା ସବୁବେଳେ ମୋବାଇଲରେ ବ୍ୟସ୍ତ ରହିବା ସହ ଅନ୍ୟ କାହାରିକୁ ମେସେଜ୍‌ କରୁଛନ୍ତି ବୋଲି ବୈଷ୍ଣବ ଅଭିଯୋଗ କରିଥିଲେ। ଏହାପରେ କ୍ରିଷ୍ଣା ଉଭୟଙ୍କୁ ବୁଝାଶୁଝା କରି ଘରକୁ ପଠାଇଥିଲେ। ଘଟଣାପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ପୋଲିସ ତାଙ୍କୁ ରବିବାର ଗିରଫ କରିଥିଲା। ଦେବାଙ୍କୁ ବାରମ୍ବାର ତାଗିଦ୍‌ ପରେ ମଧ୍ୟ ସେ ଅନ୍ୟ ଜଣଙ୍କ ସହ ସମ୍ପର୍କ ରଖିଥିଲେ। ତେଣୁ ବାଧ୍ୟ ହୋଇ ହତ୍ୟା କରିଛନ୍ତି ବୋଲି ବୈଷ୍ଣବ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଦେବା ଏବଂ ବୈଷ୍ଣବ ଶେୟାର ମାର୍କେଟ୍‌ ବ୍ୟବସାୟରେ ସମ୍ପୃକ୍ତ ଥିଲେ। କେରଳରେ ଉଭୟଙ୍କ ସାକ୍ଷାତ ହୋଇଥିଲା।

Share