Categories: ଖେଳ

‘କୋହଲିଙ୍କୁ ଫିଟ୍‌ କରିବା ଚକ୍କରରେ ବାରମ୍ବାର ଓପନିଂ ଯୋଡ଼ି ବଦଳୁଛି’

ନୂଆଦିଲ୍ଲୀ,୩୦।୭: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆରେ ଅନେକ ପରିବର୍ତ୍ତନ କରାଯାଉଛି। ବିଶେଷକରି ଓପନିଂ ଯୋଡ଼ିରେ ଏହାର ଅଧିକ ଝଲକ ଦେଖିବାକୁ ମିଳୁଛି। ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ସୂର୍ଯ୍ୟକୁମାର ଯାଦବ ଓପନିଂ କରିବାକୁ ଆସିଥିଲେ। ଏହା ଅନେକଙ୍କୁ ଚକିତ କରିଥିଲା। କାରଣ ପୂର୍ବରୁ ରୋହିତଙ୍କ ସହ ଋଷଭ ପନ୍ତ ଓପନିଂ କରିଆସୁଥିଲେ। ଏବେ ଏହାକୁ ନେଇ ପୂର୍ବ କ୍ରିକେଟର ପାର୍ଥିବ ପଟେଲ ଭିନ୍ନ ମତ ଦେଇଛନ୍ତି। ବିରାଟ କୋହଲିଙ୍କୁ ଫିଟ୍‌ ଦେଖିବା ଲାଗି ଦଳ ଏଭଳି ଓପନିଂରେ ପରିବର୍ତ୍ତନ କରୁଥିବା ସେ କହିଛନ୍ତି।

ଏହି ଟି୨୦ ସିରିଜରେ ବିରାଟ ଖେଳୁ ନାହାନ୍ତି। ପାର୍ଥିବ କହିଛନ୍ତି, ଟିମ୍‌ ଇଣ୍ଡିଆରେ ଓପନିଂ ପରିବର୍ତ୍ତନ କୋହଲିଙ୍କ ପାଇଁ ହେଉଛି। ମ୍ୟାନେଜ୍‌ମେଣ୍ଟ ପ୍ଲେଇଂ-୧୧ରେ କୋହଲିଙ୍କୁ ଫିଟ୍‌ କରିବାକୁ ଚାହୁଁଛି। ଏଥିଲାଗି କେବେ ସୂର୍ଯ୍ୟକୁମାର ତ କେବେ ପନ୍ତ ଓପନିଂ କରିବାକୁ ଆସୁଛନ୍ତି। ତେବେ କୋହଲିଙ୍କୁ ଫର୍ମରେ ଫେରିବା ଲାଗି ଦିନିକିଆ କ୍ରିକେଟ ଖେଳିବା ଉଚିତ। ସେଠାରେ ତାଙ୍କ ପାଖରେ ସମୟ ଥିବ। ସେ ବଡ଼ ଶର୍ଟ ଖେଳିପାରିବେ। ଶିଖର ଧାଓ୍ବନ ଏବଂ ଶୁଭମନ ଗିଲ ମଧ୍ୟ ଏଭଳି ଫର୍ମକୁ ଫେରିଛନ୍ତି। ସେମିତିରେ ବିରାଟ ଜଣେ ମହାନ ଖେଳାଳି ବୋଲି ସେ କହିଛନ୍ତି।

କହିରଖୁଛୁ, ଟି୨୦ ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆରେ ରୋହିତଙ୍କ ଯୋଡ଼ି ଭାବେ କେଏଲ୍‌ ରାହୁଲ , ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଈଶାନ କିଶନ, ଦୀପକ ହୁଡ୍ଡା, ଋତୁରାଜ ଗାୟକଓ୍ବାଡଙ୍କୁ ସୁଯୋଗ ମିଳିଛି।

Share