Categories: ବାଣିଜ୍ୟ

ପାର୍ଥ ମଜୁମ୍‌ଦାର ଏନ୍‌ଟିପିସିର ଆର୍‌ଇଡି

ନୂଆଦିଲ୍ଲୀ,୧୦।୫: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ସଂସ୍ଥା ତଥା ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ(ଏନ୍‌ଟିପିସି)ର ପୂର୍ବାଞ୍ଚଳ-୨ କ୍ଷେତ୍ରର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଆର୍‌ଇଡି) ଭାବେ ପାର୍ଥ ମଜୁମ୍‌ଦାର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଶେଷ କରି ସେ ଦେଶର ପୂର୍ବାଞ୍ଚଳ ରାଜ୍ୟ ତଥା ଓଡ଼ିଶା,ଝାଡ଼ଖଣ୍ଡ ଏବଂ ଆସାମ ଭଳି ରାଜ୍ୟରେ ଅବସ୍ଥିତ ବିଦ୍ୟୁତ୍‌ ଷ୍ଟେଶନ ଏବଂ ପ୍ରକଳ୍ପଗୁଡ଼ିକର ଯତ୍ନ ନେବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ପାର୍ଥ ଦୀର୍ଘ ୩୮ ବର୍ଷରୁ ଅଧିକ ସମୟ ଧରି କମ୍ପାନୀରେ ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିଛନ୍ତି। ଏପରିକି ସେ କମ୍ପାନୀର ବିଭିନ୍ନ ବିଭାଗ ଯଥା ଅପରେଶନ, ରକ୍ଷଣାବେକ୍ଷଣ, ଇନ୍ଧନ ପରିଚାଳନା ସହ ବିଭିନ୍ନ ପ୍ରୋଜେକ୍ଟ ଓ ଷ୍ଟେଶନ ଆଦିରେ ଯାନ୍ତ୍ରିକ ସେବା ଏବଂ କର୍ପୋରେଟ୍‌ ବ୍ୟବସାୟ ବିକାଶ ଓ ପରାମର୍ଶ ଉଇଙ୍ଗ ଏବଂ କୋଇଲା ଖଣି ଭଳି କ୍ଷେତ୍ରରେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମଜୁମ୍‌ଦାର ୧୯୮୫ରେ ଇଞ୍ଜିନିୟରିଂ କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ଭାବେ ଏନ୍‌ଟିପିସିରେ ଯୋଗ ଦେଇଥିଲେ। ସେ କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରୁ ମେକାନିକାଲ୍‌ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିବା ସହ ଏକ୍ସଏଲ୍‌ଆର୍‌ଆଇ ଜାମଶେଦପୁରରୁ ମଧ୍ୟ ବ୍ୟବସାୟ ପରିଚାଳନାରେ ପିଜି ସାର୍ଟିଫିକେଟ୍‌ କୋର୍ସ କରିଛନ୍ତି।

Share