ଡବ୍ଲୁଏଚଓ ନକ୍ସାରେ ଜମ୍ମୁ-କଶ୍ମୀର ପାକ ଓ ଚାଇନାର ଅଂଶ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୩୧ ।୧: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ୱେବସାଇଟ ନକ୍ସାରେ ଭାରତର ଜମ୍ମୁ-କଶ୍ମୀର ପାକିସ୍ତାନ ଓ ଚାଇନାର ଅଂଶ ବୋଲି ଦର୍ଶାଯାଇଛି । ଡବ୍ଲୁଏଚଓ ଭଳି ଅନ୍ତରାଷ୍ଟ୍ରୀୟ ସ୍ତରର ସଂସ୍ଥା ଏମିତି କାହିଁକି ଓ କେମିତି କଲା ତାହା ଏବେ ପ୍ରଶ୍ନବାଚୀ । ଜାଣିଶୁଣି ଏହା କରାଯାଇଛି ନା ଏହା ଏକ ଯୋଜନା ବୋଲି କୁହାଯାଉଥିବା ବେଳେ ଏନେଇ ଏପର୍ଯ୍ୟନ୍ତ କୌଣସି ଟିପ୍ପଣି ଆସିନାହିଁ । ହେଲେ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ ମାମଲା ବୋଲି କୁହାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଦ୍ୱାରା ତା’ର ନକ୍ସାରେ ଜମ୍ମୁ-କଶ୍ମୀରକୁ ପାକିସ୍ତାନ ଓ ଚାଇନାର ଅଂଶ ବୋଲି ଦର୍ଶାଇବାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟ ସଭା ଏମ୍‌ପି ଡା. ଶାନ୍ତନୁ ସେନ୍ କ୍ଷୋଭ ପ୍ରକାଶ କରିବା ସହ ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହାକୁ ବିରୋଧ କରାଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିବାକୁ କହି ଲେଖିଛନ୍ତି ସେ ଯେତେବେଳେ ସାରା ବିଶ୍ୱର କରୋନା ସ୍ଥିତି ପରଖିବାକୁ ଡବ୍ଲୁଏଚଓର ୱେସାଇଟକୁ ଗଲେ ସେତେବେଳେ ତାଙ୍କୁ ଏହି ନକ୍ସା ମିଳିଲା । ଏହା ଉପରେ କେନ୍ଦ୍ର ସରକାର ସମୟ ପୂର୍ବରୁ ଆକ୍ସନ ନେବାକୁ ଡା. ସେନ କହିଛନ୍ତି ।

Share