Categories: ଜାତୀୟ

ସରିଲା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ: ମାର୍ଚ୍ଚ ୧୩ରୁ ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ,୧୩।୨: ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ସୋମବାର ଶେଷ ହେବା ସହ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାକୁ ମାସେ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ମାର୍ଚ୍ଚ ୧୩ରୁ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁୟାରୀ ୩୧ରେ ଆରମ୍ଭ ହୋଇଥିଲା ଓ ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ। ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୨୩-୨୪ ଆର୍ଥତ୍କ ବର୍ଷର ବଜେଟ ଉପସ୍ଥାପନ କରିଥବଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଉତ୍ତର ରଖିଥିଲେ। ଅଧିବେଶନ ଆରମ୍ଭରୁ ଆଦାନୀ ଗ୍ରୁପ୍‌ର ଅନିୟମିତତାକୁ ନେଇ ଆମେରିକାର ଶର୍ଟ ସେଲର କମ୍ପାନୀ ହିଣ୍ଡେନ୍‌ବର୍ଗ ରିପୋର୍ଟର ଜେପିସି ତଦନ୍ତ ଦାବିରେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ହଟ୍ଟଗୋଳ ଜାରି ରଖିବାରୁ ଅଧିକାଂଶ ସମୟ ଗୃହ ଅଚଳ ରହିଥିଲା। ସୋମବାର ମଧ୍ୟ ରାଜ୍ୟ ସଭାରେ ବିରୋଧୀ ସଦସ୍ୟମାନେ ଜେପିସି ତଦନ୍ତ ଏବଂ କଂଗ୍ରେସ ଏମ୍‌ପି ରଜନୀ ପାଟିଲଙ୍କ ଉପରେ ନିଲମ୍ବନ ଉଠାଇବାକୁ ଦାବି କରି ସ୍ଲୋଗାନ ଦେଇଥିଲେ। ଫଳରେ ରାଜ୍ୟ ସଭାରେ ଅଧ୍ୟକ୍ଷତା କରୁଥିବା ଉପରାଷ୍ଟ୍ରପତି ଜଗଦୀପ୍‌ ଧନ୍‌କର ପ୍ରଶ୍ନୋତ୍ତର କାଳ ଆରମ୍ଭ ହେବାର କିଛି ସମୟ ପରେ ଗୃହକୁ ମାର୍ଚ୍ଚ ୧୩ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

Share