ନାହିଁ ନାହିଁରେ ଚାଲିଛି ସଂସ୍କୃତ ମହାବିଦ୍ୟାଳୟ

ପାରଳାଖେମୁଣ୍ଡି, ୧୩ା୧୨(ଡି.ଏନ୍‌.ଏ.): ପାରଳାଖେମୁଣ୍ଡିଠାରେ ୧୯୧୫ରେ ଓଡ଼ିଶା ପ୍ରାଚୀନତମ ସଂସ୍କୃତ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହି ମହାବିଦ୍ୟାଳୟ ଓଡ଼ିଶାର ପ୍ରଥମ ସଂସ୍କୃତ ମହାବିଦ୍ୟାଳୟ ଭାବେ ବେଶ୍‌ ଜଣାଶୁଣା। ଶିକ୍ଷା ଓ ସଂସ୍କୃତ ଭାଷାର ଉନ୍ନତି କ୍ଷେତ୍ରରେ ଏହି ମହାବିଦ୍ୟାଳୟ ବହୁ କାର୍ଯ୍ୟ କରିଆସୁଛି। ବର୍ତ୍ତମାନ ଏହି ମହାବିଦ୍ୟାଳୟର ଅଧ୍ୟାପକଙ୍କ ଅଭାବ ରହିଛି। ଜଣେ ଅଧ୍ୟାପକ ହିଁ ଅଧ୍ୟାପନା ସହ ଅଧ୍ୟକ୍ଷ କାର୍ଯ୍ୟ ତୁଲାଉଛନ୍ତି। ଏଠାରେ ଯେତିକି ଅଧ୍ୟାପକଙ୍କର ଆବଶ୍ୟକତା ରହିଛି ସେହି ପରିମାଣର ଅଧ୍ୟାପକ ନାହାନ୍ତି। ସମସ୍ତ କାର୍ଯ୍ୟ ୨ଜଣ ଚପରାସୀ ତୁଲାଉଛନ୍ତି। ଅଧ୍ୟାପକ ଅଭାବରୁ ଛାତ୍ରୀଛାତ୍ରମାନେ ସଂସ୍କୃତ ଶିକ୍ଷା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ମଧ୍ୟ ଏଠାରେ ନାମ ଲେଖାଇବାକୁ ପଛଘୁଞ୍ଚା ହେଉଛନ୍ତି। କଲେଜରେ ବହୁ ମୂଲ୍ୟବାନ୍‌ ସଂସ୍କୃତ ଗ୍ରନ୍ଥ ଏବଂ ବହି ରହିଥିଲେ ମଧ୍ୟ ଏଠାରେ ରହିଥିବା ଗନ୍ଥାଗାରର ରକ୍ଷଣାବେକ୍ଷଣ ଅବସ୍ଥା କହିଲେ ନ ସରେ। ଏହି ଗନ୍ତାଘରରେ ପୁରାତନ ଗ୍ରନ୍ଥଗୁଡ଼ିକ ବହୁ ମୂଲ୍ୟବାନ୍‌ ବୋଲି ଜଣାପଡୁଛି। ତେଣୁ ନୂତନ ଶୈଳୀରେ ଗନ୍ଥାଗାର ଆବଶ୍ୟକ ରହିଛି। ଏଠାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ରହିଥିଲେ ମଧ୍ୟ ଏହାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଏଠାରେ ରହୁଥିବା ଛାତ୍ରମାନେ ରାତି ହେଲେ ଅନ୍ୟତ୍ର ଶୋଇବାକୁ ଯାଉଛନ୍ତି। ଅଳ୍ପଦିନ ତଳେ ଏହି ମହାବିଦ୍ୟାଳୟର କୋଠାଗୃହ କାର୍ଯ୍ୟ ହୋଇଥିଲେ ମଧ୍ୟ ଏହା ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଏହି ମହାବିଦ୍ୟାଳୟରେ ପଠନ କରିବାକୁ ଜିଲାର ମୋହନା, ଅଡବା, କାଶୀନଗର, ଗୋଷାଣୀ, ଗଞ୍ଜାମ ଆଦି ବିଭିନ୍ନ ଅଞ୍ଚଳର ଛାତ୍ରମାନେ ନିର୍ଭର କରିଥାନ୍ତି। କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ଏକା ତୁଲାଉଛି ଏବଂ ଏହାର ତୁରନ୍ତ ସମାଧାନ ହେଲେ ବହୁ ଆଦିବାସୀ ଛାତ୍ରୀଛାତ୍ର ଉପକୃତ ହୋଇପାରିବେ ବୋଲି କଲେଜ ଅଧ୍ୟକ୍ଷ ଡ. ସୁଦର୍ଶନ ତ୍ରିପାଠୀ କହିଛନ୍ତି। ଏହି ମହାବିଦ୍ୟାଳୟରୁ ଶିକ୍ଷାଲାଭ କରି ଡ. ବେଣୁ ମାଧବ ପାଢ଼ୀ, ଗୋପୀନାଥ ପାଣିଗ୍ରାହୀ, ଭାସ୍କର ରଥ ପ୍ରମୁଖ ବହୁ ବିଦ୍ୱାନ ବ୍ୟକ୍ତି ସୃଷ୍ଟି ହୋଇଛନ୍ତି। ଏମାନେ କେବଳ ପାରଳାଖେମୁଣ୍ଡି ନୁହେଁ, ଗଜପତି ଜିଲା ନାମର ସାରା ରାଜ୍ୟରେ ଗୌରବ ଆଣିଛି। ହେଲେ ଆଜି ଏହି ପ୍ରାଚୀନ ସଂସ୍କୃତ ମହାବିଦ୍ୟାଳୟରେ ଅଧ୍ୟାପକ ଅଭାବ ଯୋଗୁ ଉକ୍ତ ମହାବିଦ୍ୟାଳୟଟି ରସାତଳକୁ ଖସିପଡ଼ିଛି। ମହାବିଦ୍ୟାଳୟର ଅବସ୍ଥା ଏତେ ଶୋଚନୀୟ ଯେ, ଏଠାରେ ଯେଉଁ ଛାତ୍ରାବାସ ରହିଛି ସେଠାରେ ବିଦ୍ୟୁତ୍‌ ଆଲୋକ ସଙ୍କଟ ଦେଖାଯାଉଛି। ରାତି ହେଲେ ସେଠାରେ ସରୀସୃପମାନେ ବୁଲୁଥିବାର ଲକ୍ଷ୍ୟ କରାଯାଉଛି। ଜିଲା ପ୍ରଶାସନ ଏହି ମହାବିଦ୍ୟାଳୟକୁ କୋଭିଡ୍‌ ସମୟରେ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ମାତ୍ର ଏହି ମହାବିଦ୍ୟାଳୟର ରକ୍ଷଣାବେକ୍ଷଣ ସହ ଏହାର କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇପାରିଲେ ଆହୁରି ଅଧିକ ଛାତ୍ର ନାମ ଲେଖାନ୍ତେ। ଏହାର ଉନ୍ନତି ସାଧନ ଦିଗରେ ଜିଲା ପ୍ରଶାସନ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ପାରଳାବାସୀଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି।