ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା ସମୟର ଅନୁଭୂତି ସମ୍ପର୍କରେ ନିକଟରେ ସେ ବଖାଣିଛନ୍ତି। ପୁଅ ଜନ୍ମ ହେବା ପରେ ଅନେକ ମାସ ପର୍ଯ୍ୟନ୍ତ ପରିଣୀତି ଦିନରାତି ନୀରଙ୍କ ସହ ଘରେ ରହୁଥିଲେ। ତେଣୁ ପ୍ରଥମ ଥର କାମ ପାଇଁ ତାଙ୍କଠାରୁ ଦୂରକୁ ଯିବା ତାଙ୍କ ପାଇଁ ଖୁବ କଷ୍ଟକର ଥିଲା। ପ୍ରଥମ ଥର ପୁଅକୁ ଛାଡ଼ି କାମ ପାଇଁ ଯିବା ସମୟରେ ସେ ପ୍ରାୟ ୩ ଘଣ୍ଟା ଧରି କାନ୍ଦିଥିଲେ।
କାମକୁ ଯିବାବେଳେ ତାଙ୍କୁ ଲାଗିଥିଲା ଯେ ସେ ଆଉ କେବେ କାମ କରିପାରିବେ ନାହିଁ। ତାଙ୍କ ଅନୁଭୂତି କେବଳ ‘ମମ ଗିଲ୍ଟ’ ନୁହେଁ, ବରଂ ନିଜ ପିଲାକୁ ଛାଡ଼ି ଯିବାର ଏକ ପ୍ରକାର ଶାରୀରିକ ଯନ୍ତ୍ରଣା। କାମ ପାଇଁ ବାହାରକୁ ଯିବା ସମୟରେ କିଛି ମହିଳା ତାଙ୍କୁ ପୁଅ କେଉଁଠି ବୋଲି ପଚାରୁଥିବା ପରିଣୀତି କହିଛନ୍ତି। ତାଙ୍କ ମତରେ, ଏଭଳି ପ୍ରଶ୍ନ ପଛରେ ଏହି ଧାରଣା ରହିଛି ଯେ ମା’ ହେବା ପରେ ଜଣେ ମହିଳା ନିଜର ପେସାଦାର ଜୀବନକୁ ରୋକି ଦେବା ଉଚିତ୍।
ପରିଣୀତି ଏହି ଧାରଣା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ପିଲା ହେବା ପରେ ମହିଳାମାନେ କାହିଁକି ପୁଣି ନିଜ ସାଧାରଣ ଜୀବନକୁ ଫେରିପାରିବେ ନାହିଁ? ମା’ ହେବା ଜୀବନର ଏକ ଅଂଶ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ମହିଳାମାନେ ନିଜ କାମ କିମ୍ବା ଜୀବନ ଛାଡ଼ିଦେବେ।
ପରିଣୀତି ୨୦୨୩ ସେପ୍ଟେମ୍ବରରେ ରାଘବ ଚଢ଼ାଙ୍କୁ ରାଜସ୍ଥାନର ଉଦୟପୁରସ୍ଥିତ ଦ ଲୀଲା ପ୍ୟାଲେସ୍ରେ ବିବାହ କରିଥିଲେ। ୨୦୨୫ ଅକ୍ଟୋବରରେ ଉଭୟ ପ୍ରଥମ ଥର ପାଇଁ ମାତାପିତା ହୋଇଥିଲେ।