Categories: ଜାତୀୟ

ପରିଣୀତି, ରାଘବ ସାତ ଜନମର ସାଥୀ

ଉଦୟପୁର,୨୫ା୯: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତା ରାଘବ ଚଢ଼ା ଏବଂ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ସ୍ବାମୀ ଓ ସ୍ତ୍ରୀ। ରାଜସ୍ଥାନର ଉଦୟପୁରରେ ଏହି ହାଇପ୍ରୋଫାଇଲ ଯୋଡ଼ି ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଲୀଲା ପ୍ୟାଲେସ୍‌ରେ ଅନୁଷ୍ଠିତ ବିବାହ ଉତ୍ସବରେ ପରିଣୀତି ଡିଜାଇନର ମନୀଷ ମାଲହୋତ୍ରାଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପରିଧାନ କରି ବାହାବେଦିକୁ ଯାଇଥିଲେ। ପଞ୍ଜାବୀ ରୀତିରେ ବିବାହ ଚାଲିଥିବାବେଳେ ‘ୟେ ଜଓ୍ବାନୀ ହେ ଦିଓ୍ବାନୀ’ର ବିଦାୟୀ ଗୀତ କବୀରା ଶୁଣିବାକୁ ମିଳିଥିଲା। ଏହା ପୂର୍ବରୁ ମଧ୍ୟାହ୍ନରେ ମଓ୍ବୋର ପରମ୍ପରା ଅନୁସାରେ ସୁସଜ୍ଜିତ ଏକ ବୋଟ୍‌ରେ ବରଯାତ୍ରୀ ପହଞ୍ଚତ୍ଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଏଥିରେ ସାମିଲ ହୋଇଥିଲେ। ସେହିପରି ଟେନିସ୍‌ ଷ୍ଟାର, ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ହରଭଜନ ସିଂ, ଏଏପି ଏମ୍‌ପ ସଞ୍ଜୟ ସିଂ, ଶିବସେନା ନେତା ଆଦିତ୍ୟ ଠାକ୍‌ରେ ପ୍ରମୁଖଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ପରିଣୀତିଙ୍କ ସମ୍ପର୍କୀୟା ଭଉଣୀ ତଥା ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଏହି ବାହାଘରରେ ଯୋଗଦେଇ ପାରିନାହାନ୍ତି। ତେବେ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ଆସିଥିବା ଜଣାପଡ଼ିଛି। ସେମାନଙ୍କ ବାହାବେଳର ପ୍ରଥମ ଫଟୋ ଦେଖିବା ପାଇଁ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍କଣ୍ଠା ଲାଗିରହିଥିବାବେଳେ ଦୁହିଁଙ୍କ ମଧ୍ୟରୁ କେହି ସୋସିଆଲ ମିଡିଆରେ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରିନାହାନ୍ତି। ଗତ ମେ’ ୧୩ରେ ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ଦିଲ୍ଲୀରେ ହୋଇଥିଲା। ଏବେ ଦୁହେଁ ସାତ ଜନମର ସାଥୀ ହୋଇଯାଇଛନ୍ତି।

Share