ପରୀ ହତ୍ୟା ମାମଲା: ୧୯ରେ ସୁପ୍ରିମକୋର୍ଟରେ ଶୁଣାଣି

ନୟାଗଡ଼(ଅଫିସ୍‌)/ନୂଆଦିଲ୍ଲୀ, ୬।୪: ନୟାଗଡ଼ର ୫ବର୍ଷୀୟା ଶିଶୁ କନ୍ୟା ପରୀ ହତ୍ୟା ମାମଲାର ଶୁଣାଣି ଆସନ୍ତା ୧୯ରେ ସୁପ୍ରିମକୋର୍ଟରେ ହେବ। ମାମଲାର ସିବିଆଇ ତଦନ୍ତ ଦାବି କରି ପରୀର ମା’ ସୌଦାମିନୀ ସାହୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ରାଜ୍ୟ ସରକାର ଜବାବ ଦାଖଲ କରିସାରିଥିବାବେଳେ ସିବିଆଇ ମଧ୍ୟ ଖୁବ୍‌ ଶୀଘ୍ର ଜବାବ ଦାଖଲ କରିବ। ଭିଡିଓ କନ୍‌ଫରେନ୍ସରେ ସୁପ୍ରିମ୍‌କୋର୍ଟ ରେଜିଷ୍ଟ୍ରାର ରାଜେଶ କୁମାର ଗୋଏଲ ସୋମବାର ଉକ୍ତ ମାମଲାର ଶୁଣାଣି କରି ଆସନ୍ତା ଶୁଣାଣି ବିଚାରପତି ଏମ୍‌.ଏମ୍‌. ଖାନ୍‌ଓ୍ବିଲ୍‌କରଙ୍କ ଖଣ୍ଡପୀଠରେ କରିବାକୁ ତାଲିକାଭୁକ୍ତ ନିମନ୍ତେ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ସ୍ବସ୍ତିକ ଦଳେଇ ମାମଲାର ତ୍ୱରିତ ଶୁଣାଣି ପାଇଁ ଅନୁରୋଧ କରିଥିଲେ। ମାମଲାଟି ଏକ ୫ବର୍ଷୀୟା ଶିଶୁ କନ୍ୟାକୁ ବଳାତ୍କାର ଏବଂ ହତ୍ୟା କରାଯାଇଥିବା ସମ୍ପର୍କିତ। ଏପରି କି ତା’ର ଶରୀରର ବିଭିନ୍ନ ଅଙ୍ଗ ଚାଲାଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଉକ୍ତ ମାମଲାର ଏସ୍‌ଆଇଟି ତଦନ୍ତ କରୁଥିବାବେଳେ ହାଇକୋର୍ଟ ଏହାକୁ ମନିଟରିଂ କରୁଛନ୍ତି ବୋଲି ପୂର୍ବରୁ ଓଡ଼ିଶା ପୋଲିସ ଏହି ମାମଲାରେ ଏକ ସତ୍ୟପାଠ ଦାଖଲ କରିଥିଲା। ସୂଚନାଯୋଗ୍ୟ, ନୟାଗଡ଼ ଯଦୁପୁର ଗ୍ରାମର ପରୀ ଗତ ଜୁଲାଇ ୧୪ରେ ଘର ସମ୍ମୁଖରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲେ। ଏହାର ୧୦ଦିନ ପରେ ତା’ର ମୃତଦେହ ଏକ ଅଖାବସ୍ତା ମଧ୍ୟରେ ଘର ପଛପଟେ ଏକ ବୁଦାମୂଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଏସ୍‌ଆଇଟି ସ୍ଥାନୀୟ ଜଣେ ନାବାଳକଙ୍କୁ ଗିରଫ କରି ମୁଖ୍ୟ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ପରୀର ପରିବାର ପକ୍ଷରୁ ଅଭିଯୋଗ କରାଯିବା ସହ ଘଟଣାର ସିବିଆଇ ତଦନ୍ତ ପାଇଁ ଆବେଦନ କରାଯାଇଛି।