ଝିଅ ନ ମିଳିଲେ ଆତ୍ମହତ୍ୟା କରିବାକୁ ମା’ବାପାଙ୍କ ଚେତାବନୀ

ଆଳି,୯ା୧୧ (ଡି.ଏନ. ଏ. ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଜଣେ ଯୁବକ ମାସେ ହେବ ଅପହରଣ କରି ନେଇଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ନାବାଳିକାଙ୍କ ପରିବାର ପକ୍ଷରୁ ଯୁବକଙ୍କ ଘର ଉପରେ ଅତର୍କିତ ଆକ୍ରମଣ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟ ପରିବାର ପକ୍ଷରୁ ପୃଥକ୍‌ ପୃଥକ୍‌ ମାମଲା ଥାନାରେ ରୁଜୁ ହୋଇ ତଦନ୍ତ ଚାଲିଛି। ଥାନାରେ ନାବାଳିକାଙ୍କ ମା’ ସେପ୍ଟେମ୍ବର ୩୦ରେ ଦେଇଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ୧୪ ବର୍ଷର ଝିଅକୁ ଘରେ କେହି ନ ଥିବା ସୁଯୋଗ ନେଇ ଜଣେ ଯୁବକ ଅପହରଣ କରି ନେଇଛନ୍ତି। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ନଂ. ୩୮୫/୨୨ରେ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା। ଘଟଣାକୁ ମାସେ ବିତି ଯାଇଥିଲେ ମଧ୍ୟ ପୋଲିସ କାହାରି ସୁରାକ ପାଇ ନାହିଁ। ଫଳରେ ନାବାଳିକାଙ୍କ ମା’ବାପା ଝିଅ ନ ମିଳିଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି। ଅପରପକ୍ଷରେ ନଭେମ୍ବର ୪ ତାରିଖରେ ନାବାଳିକାଙ୍କ ମା’ବାପା, ଜେଜେ ମା’ ଯୁବକଙ୍କ ଘରେ ପଶି ତାଙ୍କ ଜେଜେ ମା’, ରୋଗରେ ପଡ଼ିଥିବା ସାନବାପା ଓ ବୁଢ଼ୀ ମା’କୁ ଆକ୍ରମଣ କରି ପିଟିବା ସହ ଘରର ସମସ୍ତ ଆସବାସପତ୍ର ଭଙ୍ଗାରୁଚା କରି ଗାଳିଗୁଲଜ କରିଥିଲେ। ଝିଅକୁ ଆଣି ନ ଦେଲେ ହତ୍ୟା ଧମକ ଦେଇଥିବା ଥାନାରେ ଅଭିଯୋଗ ହେଇଛି। ଅପରପକ୍ଷରେ ସେହିଦିନ ନାବାଳିକାଙ୍କ ମା’ ମଧ୍ୟ ତାଙ୍କୁ ଯୁବକଙ୍କ ଘର ଲୋକ ଆକ୍ରମଣ କରି କ୍ଷତାକ୍ତ କରିଥିବା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏ ସମ୍ପର୍କରେ ଆଇଆଇସି ଦିଲୀପ ସାହୁଙ୍କୁ ପଚାରିବାରୁ ଉଭୟ ପରିବାରଙ୍କ ଅଭିଯୋଗକ୍ରମେ ନଂ. ୪୪୨/୨୨ ଓ ୪୪୩/୨୨ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।