ପୁଅର ଚିକିତ୍ସା ପାଇଁ ମା’ବାପାଙ୍କ ନିବେଦନ

କାଏମା,୧।୧୧ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନୁହୁଡ଼ା ଗ୍ରାମର ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ ତରାଇ(୨୦) ବଜ୍ରପାତରେ ଗୁରୁତର ହୋଇ ୪୦ଦିନରୁ ଅଧିକ ହେବ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଚିକିତ୍ସା ପାଇଁ ବିଜୁ ସ୍ବାସ୍ଥ୍ୟକାର୍ଡରେ ଥିବା ଟଙ୍କା ସରିଲାଣି। ହେଲେ ତାଙ୍କ ଦେହ ଠିକ୍‌ ହୋଇ ପାରୁନାହିଁ। ତେଣୁ ବାପା ବଟକୃଷ୍ଣ ଓ ମା’ ବାସନ୍ତୀ ପୁଅର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ଓ ସହୃଦୟ ବ୍ୟକ୍ତିଙ୍କ ନିକଟରେ ନିବେଦନ କରିଛନ୍ତି।
ସେପ୍ଟେମ୍ବର ୧୮ତାରିଖ ଅପରାହ୍ନ ୫ଟାରେ ବର୍ଷା ଛାଡ଼ିଯିବା ପରେ ମନୋଜ ଓ ତାଙ୍କ ସାଙ୍ଗ ମନୋରଞ୍ଜନ ନାୟକ ଗ୍ରାମ ପାଖ ବିଲ ପାଟ ଆଡ଼କୁ ଯାଇ ବସି କଥା ହେଉଥିଲେ। ଏହି ସମୟରେ ଅଚାନକ ବଜ୍ରପାତ ହୋଇଥିଲା। ଫଳରେ ଉଭୟେ ସେଠାରେ ପଡ଼ି ଯାଇଥିଲେ। ଏହାଦେଖି ଜଣେ ସ୍ଥାନୀୟ ବାସିନ୍ଦା ଦୌଡ଼ି ଯାଇ ସେମାନଙ୍କ ପାଖରେ ପହଞ୍ଚିଥିଲେ। ମନୋଜଙ୍କ ମୁଣ୍ଡ ଫାଟି ରକ୍ତ ବହୁଥିଲା। ମନୋରଞ୍ଜନ ଅଚେତ ଅବସ୍ଥାରେ ଥିଲେ। ପାଖରେ ସେମାନଙ୍କ ମୋବାଇଲ ଫୋନ୍‌ ଭାଙ୍ଗିରୁଜି ପଡ଼ିଥିଲା। ସମ୍ପୃକ୍ତ ବ୍ୟକ୍ତି ଏହା ଦେଖି ଲୋକଙ୍କୁ ଡାକ ପକାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଭୟଙ୍କୁ ମେଡିକାଲକୁ ନିଆଯାଇଥିଲା। ମେଡିକାଲରେ ମନୋରଞ୍ଜନଙ୍କ ମୃତ୍ୟୁ ହୋଇ ଯାଇଥିଲା। ମନୋଜଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେବେଠୁ ମନୋଜ ଚିକିତ୍ସାଧୀନ ଅଛନ୍ତି। ମନୋଜଙ୍କ ବାପା ବଟକୃଷ୍ଣ ଜଣେ ଦିନ ମଜୁରିଆ। ତାଙ୍କର ତିନି ଝିଅ ଓ ଜଣେ ପୁଅ। କିଛି ଦିନ ହେବ ଜଣେ ଝିଅଙ୍କ ବାହାଘର ହୋଇଛି। ବଟକୃଷ୍ଣ ଧାରଉଦ୍ଧାର କରି ଝିଅ ବାହାଘର କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଧାର ଟଙ୍କା ସୁଝିପାରିନାହାନ୍ତି ବୋଲି କହିଛନ୍ତି। ସେହିପରି ପୁଅକୁ ଝୁରିଝୁରି ବାସନ୍ତୀଙ୍କ ଦେହ ଠିକ ରହୁନାହିଁ। ତେଣୁ ପୁଅର ଚିକିତ୍ସା ପାଇଁ ବଟକୃଷ୍ଣ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଗଲେ ପୁଅର ଚିକିତ୍ସା ହୋଇ ପାରିବ ବୋଲି ବଟକୃଷ୍ଣ ଓ ବାସନ୍ତୀ କହିଛନ୍ତି। ତେଣୁ ଏ ଦିଗରେ ଜିଲାପାଳ ଦୃଷ୍ଟିଦେବାକୁ ସେମାନେ ନିବେଦନ କରିଛନ୍ତି। ସେହିପରି ଏହି ପରିବାରକୁ ପ୍ରଶାସନ ସହାୟତା ଯୋଗାଇକୁ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।