ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର

ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବିଦ୍ୟାଳୟରେ ତାଲା ପଡ଼ିଥିବାରୁ ଛାତ୍ରୀଛାତ୍ରମାନେ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀରେ ବସି ପାଠପଢ଼ୁଥିବା ଜଣାପଡ଼ିଛି।

ବିଦ୍ୟାଳୟରେ ଅନିୟମିତତା ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମୁଖୀ କାର୍ଯ୍ୟକଳାପ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବା ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ ମଧ୍ୟ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୭୭ରୁ ଅଧିକ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟରେ ଉପୁଜିଥିବା ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଞ୍ଚାୟତର ମୂରବୀ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ ଆଲୋଚନା କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ସ୍ଥାନୀୟ ସିଆରସିସି ରବୀନ୍ଦ୍ର ବେରାଙ୍କ ମତାମତ ନିଆଯାଇଛି। ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସେ ବିଦ୍ୟାଳୟରେ ପହଞ୍ଚି ଘଟଣାର ସମାଧାନ ପାଇଁ ପ୍ରୟାସ ଆରମ୍ଭ କରିଥିବା କହିଛନ୍ତି। ଗ୍ରାମର ମୂରବୀମାନଙ୍କ ସହ ଆଲୋଚନା କରି ଶାନ୍ତି ଓ ଶୃଙ୍ଖଳାର ସହ ସମସ୍ୟାର ସମାଧାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 

Share