ଛତ୍ରପୁର, ୭।୮(ଦିଲ୍ଲୀପି ସାମଲ /ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌର ପରିଷଦର ଜି. ଏନ. ପାଲମ୍ମା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଘେରରେ ଚାଲିଛି ପାଠପଢା । ଛାତ୍ରୀଛାତ୍ରମାନଙ୍କୁ ଘାସ ସହିତ ଲାଟିନ୍ ଟାଙ୍କି ସଫା କରିବାକୁ କହି ପ୍ରଧାନ ଶିକ୍ଷୟିତ୍ରୀ ଏବେ ବିବାଦ ଘେରରେ । ଏନେଇ ଶୁକ୍ରବାର ଅଭିଭାବକମାନେ ଏକତ୍ରିତ ହୋଇ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଘେରିଛନ୍ତି । ବିଦ୍ୟାଳୟରେ ଦୀର୍ଘ ଦିନ ଧରି ପ୍ରଧାନ ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ଛାତ୍ରୀଛାତ୍ରମାନେ ଜଣାଇଛନ୍ତି । ଏହା ସହିତ ବିଦ୍ୟାଳୟ ପରିସରରେ ଥିବା ଘାସ ସହିତ ଲାଟିନ୍ ସଫା କରିବାକୁ କୁହାଯାଉଥିବା ନେଇ ଅଭିଯୋଗ ହୋଇଛି । ଘଟଣାର ଖବର ପାଇ ଛତ୍ରପୁର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସଂଯୁକ୍ତା ରଥ ପହଞ୍ଚି ଅଭିଭାବକମାନଙ୍କୁ ବୁଝାସୁଝା କରିଥିଲେ । ଏପରିକି, ବିଦ୍ୟାଳୟ ପରିଚାଳନା ପାଇଁ ଆସିଥିବା ଟଙ୍କାକୁ ଖର୍ଚ୍ଚ କରାଯାଉନଥିବା ନୂତନ ପରିଚାଳନା କମିଟିର ସଭାପତି ଏବଂ ଅନ୍ୟମାନେ ଅଭିଯୋଗ କରିଛନ୍ତି । ଦୀର୍ଘ ଦିନ ଧରି ସ୍କୁଲ ପରିସର ଲଟା ବୁଦାରେ ଭର୍ତ୍ତି ହୋଇ ରହିଥିବାବେଳେ ଏହା ଖୁବଶୀଘ୍ର ସଫେଇ କରିବା ପାଇଁ ସେମାନେ ଦାବି କରିଛନ୍ତି। ଏହା ସହ ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରିବା ପାଇଁ ସେମାନେ ଦାବି କରିଛନ୍ତି। ସେମାନଙ୍କ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବିଦ୍ୟାଳୟ ଗେଟ୍ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହି ଖଣ୍ଡନ କରିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ।