ରାସେଶ୍ୱରୀଙ୍କୁ ନେଇ ଚିନ୍ତାରେ ମା’ବାପା

ଖଇରା,୩।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅଧୀନ ସାଉଣ୍ଡିଆ ଗ୍ରାମର ସୁମତୀ ବେହେରା ଓ ସ୍ବାମୀ ତାପସଙ୍କୁ ଘାରିଛି ଗୋଟିଏ ଚିନ୍ତା। କେମିତି ନିଜର ଝିଅକୁ ଭଲ କରି ପାରିଲେ ଅନ୍ୟ ପିଲାଙ୍କ ଭଳି ନାଚି ଖେଳି ତାଙ୍କୁ ଖୁସିର ଖୋରାକ ଯୋଗାଇବ ସେହି ଦିନକୁ ଚାତକ ଭଳି ଚାହିଁ ବସିଛନ୍ତି।
ନିଜର ପରିବାର ଅବସ୍ଥା ଅତ୍ୟନ୍ତ ଦୁର୍ବଳ ଥିବା ବେଳେ କିଭଳି ଝିଅକୁ ଭଲ କରିବେ ସେଥିପାଇଁ ବ୍ରତ ଉପବାସରେ ଦିନ କଟୁଛି। ଅତ୍ୟନ୍ତ ଦୁଃଖଦ ପରିସ୍ଥିତିରେ ବଞ୍ଚିବା ମରିବା ସମାନ ହୋଇ ଯାଇଛି। ସେମାନଙ୍କୁ ଏଭଳି ଅସହାୟ ଜୀବନରୁ ସାହାଯ୍ୟ କରିବାକୁ ମା’ବାପା ଆକୁଳ ନିବେଦନ କରିଛନ୍ତି ା ବଡ ଝିଅର ରାଜେଶ୍ୱରୀ ଜନ୍ମ ହେବାର ୨ବର୍ଷ ପରେ ସେମାନଙ୍କର ଦ୍ୱିତୀୟ ସନ୍ତାନ ଭାବେ ରାସେଶ୍ୱରୀ ଜନ୍ମ ଗ୍ରହଣ କରିଥିଲା। ଝିଅର ବୟସ ବଢିବା ବେଳକୁ ସମାନ୍ତରାଳଭାବେ ମା’ବାପାଙ୍କର ଚିନ୍ତା ବଢୁଥିଲା। କାରଣ ଝିଅର ୨ଟି ଯାକ ଗୋଡ ବଙ୍କେଇ ରହିବା ସହି ମେରୁଦଣ୍ଡଟି ମଧ୍ୟ ସମ୍ପୂର୍ଣ୍ଣ ମୋଡିହୋଇ ରହିଥିଲା। ବର୍ତ୍ତମାନ ଏହି ଦିବ୍ୟାଙ୍ଗ ଝିଅଟି କଥା କହିବାକୁ ଅସମର୍ଥ। କେହି କିଛି କହିଲେ କେବଳ ମୁହଁକୁ ବଲବଲ କରି ଚାହୁଁଛି। ଜଣେ ଶ୍ରମିକ ଭାବେ ଦୈନନ୍ଦିନ ମୂଲ ଲାଗି ଯାହା ମଜୁରୀ ମିଳେ ତାହା ପରିବାର ଚଳିବାକୁ ଅସମର୍ଥ ହୋଇଥିବା ବେଳେ ଝିଅକୁ ଭଲ କରିବା ପାଇଁ ମେଡିକାଲ ଯିବାକୁ ଅର୍ଥ ନାହିଁ। ତାଙ୍କୁ ସାହାଯ୍ୟ କରିଲେ ତାଙ୍କ ଝିଅ ଭଲ ହୋଇପାରନ୍ତା ବୋଲି ରାସେଶ୍ୱରୀଙ୍କ ମା’ବାପା ନିବେଦନ କରିଛନ୍ତି।