କୋରାପୁଟ/ସୁନାବେଡ଼ା,୧୨।୧୧(ଅମିତାଭ ବେହେରା/କୃତିବାସ ପ୍ରଧାନ): ଜନଜାତିଙ୍କ ପାରମ୍ପରିକ ଚିକିତ୍ସା ଜ୍ଞାନର ସଂରକ୍ଷଣ ଓ ଜୀବିକାର ବିକାଶ ଲକ୍ଷ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ଏକ ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ଅବସରରେ ସୁନାବେଡ଼ା କ୍ୟାମ୍ପସରେ ୩୦୦ରୁ ଅଧିକ ପ୍ରଜାତିର ଔଷଧୀୟ ଉଦ୍ଭିଦକୁ ନେଇ ‘ପରାଶର ଜନଜାତି ଭେଷଜ ଉଦ୍ଭିଦ ଉଦ୍ୟାନ’ ଉଦ୍ଘାଟିତ ହୋଇଛି।
ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସହାୟତାରେ ଲକ୍ଷ୍ନୌସ୍ଥିତ ସିଏସଆଇଆର୍-ଏନ୍ବିଆର୍ଆଇ ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। କାର୍ଯ୍ୟକ୍ରମରେ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୀଷ ଠାକୁର, କୁଳପତି ପ୍ରଫେସର ଅଜିତ କୁମାର ଶାସନୀ, ପ୍ରକଳ୍ପ ମୁଖ୍ୟ ଅନୁସନ୍ଧାନକାରୀ ଡ. ଶରଦ ଶ୍ରୀବାସ୍ତବ ଯୋଗ ଦେଇଥିଲେ। ଏହି ପ୍ରକଳ୍ପ ମାଧ୍ୟମରେ ଜନଜାତି ବୈଦ୍ୟଙ୍କ ପାରମ୍ପରିକ ଜ୍ଞାନର ଲିପିବଦ୍ଧକରଣ, ଔଷଧୀୟ ଉଦ୍ଭିଦର ସଂରକ୍ଷଣ ଓ ଜୈବ ସମ୍ପଦ ଆଧାରିତ ଉଦ୍ୟୋଗର ବିକାଶ କରାଯିବ। ଏଥିସହ କୋରାପୁଟ ଜିଲାର ପ୍ରାୟ ୨୫ଜଣ ଜନଜାତି ବୈଦ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଦୁଇଦିନିଆ କାର୍ଯ୍ୟକ୍ରମରେ ବୈଦ୍ୟମାନଙ୍କ ପାଇଁ ସଚେତନତା ଶିବିର ଓ ଔଷଧୀୟ ଉଦ୍ଭିଦ ସମ୍ପର୍କିତ କ୍ଷେତ୍ର ପରିଦର୍ଶନର ମଧ୍ୟ ଆୟୋଜନ କରାଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ଡ. ସଞ୍ଜୟ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ସଂସ୍ଥାର ବୈଜ୍ଞାନିକ, ଗବେଷକ, ଅଧ୍ୟାପକ, ଜନଜାତି ବୈଦ୍ୟ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।