ଆର୍ଥିକ ସଙ୍କଟରେ ପରମହଂସନାଥ ମନ୍ଦିର ପ୍ରଶାସନ

କଟକ ସଦର,୩୧ା୧୦(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅଞ୍ଚଳର ପ୍ରାଚୀନ ଶୈବପୀଠ ପରମହଂସନାଥ ଦେବଙ୍କ ମନ୍ଦିର ପରିଚାଳନା କମିଟି(ଟ୍ରଷ୍ଟ ବୋର୍ଡ) ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଫଳରେ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତିରେ ସମସ୍ୟା ଉପୁଜିଛି। ଠାକୁରଙ୍କ ଭୂରାଜସ୍ବ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ବୋଲି ପରମହଂସ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅନିରୁଦ୍ଧ ରାଉଳ କଟକ ଜିଲାପାଳଙ୍କ ନିକଟରେ ଶନିବାର ଅଭିଯୋଗ କରି ପ୍ରଶାସନିକ ନିୟନ୍ତ୍ରଣକୁ ସୁସଂଗଠିତ କରିବାକୁ ଦାବି କରିଛନ୍ତି। ଦରକାର ପଡିଲେ ମନ୍ଦିରର ବାସ୍ତବ ଚିତ୍ରକୁ ଜନସ୍ବାର୍ଥ ମାମଲା ଭାବେ ଓଡ଼ିଶା ହାଇକୋର୍ଟରେ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି।
ରାଉଳଙ୍କ କହିବାନୁଯାୟୀ, ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ମନ୍ଦିର ପରିସରକୁ ନ ଆସି ସବୁକିଛି ଟେଲିଫୋନ ଦ୍ୱାରା ନିୟନ୍ତ୍ରଣ କରିବାରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି। କେବଳ ଭୋଗ ଓ ଦୀପ ଦୋକାନ, ସାଇକେଲ ଷ୍ଟାଣ୍ଡ ନିଲାମ ଅର୍ଥରୁ ମନ୍ଦିରର ବାର୍ଷିକ ଖର୍ଚ୍ଚ ଭରଣା କରିବା ସମ୍ଭବ ହେଉନାହିଁ। ଠାକୁରଙ୍କ ବିଭିନ୍ନ ସେବା ପାଇଁ ନିୟୋଜିତ ସେବକମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି। କିନ୍ତୁ ସେବା ବଦଳରେ ଦଖଲ କରିଥିବା ଠାକୁର ଜମି ଛାଡୁନାହାନ୍ତି। ସେବାୟତମାନେ ଅଧିକାରୀମାନଙ୍କ ଉପରେ ଅସନ୍ତୁଷ୍ଟ ରହିଛନ୍ତି। ଅନେକ ଲୋକ ଠାକୁରଙ୍କ ଜମି ଜବରଦଖଲରେ ରଖିଥିଲେ ମଧ୍ୟ ରାଜନୈତିକ କାରଣ ଯୋଗୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ। ପ୍ରାୟ ୫୦ ବର୍ଷ ହେବ ମନ୍ଦିର ପରିଚାଳନା ଦାୟିତ୍ୱ ଦେବୋତ୍ତର ଆୟୁକ୍ତ ନେବା ପରେ ପ୍ରଶାସନିକ କ୍ଷମତା ସରକାରୀ ଅଧିକାରୀଙ୍କ ହାତକୁ ଚାଲିଯାଇଛି। ସମ୍ପୃକ୍ତ ଅଧିକାରୀ ନିଜର ମୂଳ ଦାୟିତ୍ୱ ତୁଲାଇବା ସହ ମନ୍ଦିରର ଭଲମନ୍ଦ ବୁଝିବା ପାଇଁ ସମୟ ଦେଇପାରୁନାହାନ୍ତି। ଦେବୋତ୍ତର ଆୟୁକ୍ତଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୮ରେ ଠାକୁରଙ୍କ ନୀତିକାନ୍ତି ପାଇଁ ୨୦ ହଜାର ଟଙ୍କା, ୨୦୧୪ରେ ଶୀତଳଷଷ୍ଠୀ ପାଇଁ ୩୦ ହଜାର ଟଙ୍କା ସରକାରୀ ସହାୟତା ଦିଆଯାଇଥିଲା।
ଅପରପକ୍ଷେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ୧୯୯୮ରୁ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବା ପରେ ମୋଟ ୩୧ ଲକ୍ଷ ୫୦ ହଜାର ଟଙ୍କା ଉନ୍ନତି ପାଇଁ ଖର୍ଚ୍ଚ କରିଛି। ଏହାଛଡା ମୁଖ୍ୟ ମନ୍ଦିରର ପ୍ରାଚୀରଠାରୁ ୧୦୦ ମିଟର ବ୍ୟବଧାନରେ କୌଣସି ନିର୍ମାଣ କାମ କରାଯାଇପାରିବ ନାହିଁ ବୋଲି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପତ୍ରସଂଖ୍ୟା ୩୩୭୬/୧ା୧୧ା୨୦୨୧ରେ ବିଜ୍ଞପ୍ତି ଜାରି କରିଥିଲା। ସମସ୍ୟା ସମ୍ପର୍କରେ ମନ୍ଦିର ପରିଚାଳନା କମିଟିର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ମଲ୍ଲଙ୍କୁ ପଚାରିବାରୁ କରୋନା ପାଇଁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ସ୍ବୀକାର କରିଥିଲେ। ତେଣୁ ମନ୍ଦିରର କିଛି ଜମିଜମା ଓ ନିଲାମ ଅର୍ଥରୁ ବିଭିନ୍ନ ଖର୍ଚ୍ଚ ଭରଣା କରାଯାଉଛି। ପ୍ରତ୍ନତତ୍ତ୍ୱ ବିଭାଗର ନିୟମ ସମ୍ପର୍କିତ ବିଜ୍ଞପ୍ତି ଜାଣିନି ବୋଲି ସେ କହିଥିଲେ।