ପରେଡ୍‌ ଗ୍ରାଉଣ୍ଡ ବନ୍ଦ, ଖେଳକୁଦରେ ସମସ୍ୟା

ରାଉରକେଲା ଅଫିସ,୧୪।୨: ରାଉରକେଲା ଉଦିତନଗର ସ୍ଥିତ ପରେଡ୍‌ ଗ୍ରାଉଣ୍ଡ ଖେଳ ପଡିଆକୁ ବନ୍ଦ ରଖାଯାଇଥିବାରୁ ସ୍ଥାନୀୟ ଶିକ୍ଷାନୁଷ୍ଠାନ ଏବଂ କ୍ରୀଡାବିତ୍‌ଙ୍କ ଖେଳକୁଦରେ ଅସୁବିଧା ହେଉଛି। ଫଳରେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ହକି ବିଶ୍ୱକପ୍‌ ପୂର୍ବରୁ ଉଦିତନଗର ସ୍ଥିତ ପରେଡ୍‌ ଗ୍ରାଉଣ୍ଡକୁ ସୌନ୍ଦର୍ଯ୍ୟକରଣ କରାଯିବା ପରେ ସେଠାରେ ଖେଳକୁଦ ସହ ବିଭିନ୍ନ କାର୍ଯ୍ୟକ୍ରମ କରାଗଲା। ଗତ ଜାନୁୟାରୀ ୨୬ରେ ଗ୍ରାଉଣ୍ଡରେ ଜିଲାସ୍ତରୀୟ ପରେଡ କରାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ଗ୍ରାଉଣ୍ଡକୁ ବନ୍ଦ କରିଦିଆଗଲା। ଏଯାଏ ଏହି ଗ୍ରାଉଣ୍ଡ ଖୋଲାଯାଇ ନ ଥିବାରୁ ସ୍ଥାନୀୟ ଶିକ୍ଷାନୁଷ୍ଠାନ, କ୍ରୀଡ଼ା ପ୍ରଶିକ୍ଷକ ଓ କ୍ରୀଡାବିତ୍‌ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାତୀୟ ସ୍ତରୀୟ କବାଡି, ଫୁଟବଲ, ବେସବଲ ଖେଳାଳିଙ୍କ ଅଭ୍ୟାସ ବନ୍ଦ ରହିଛି। ସେହିପରି ବରିଷ୍ଠ ନାଗରିକଙ୍କ ମର୍ନିଂ ଓ୍ବାକ୍‌, ପୋଲିସ, ରେଲଓ୍ବେ କର୍ମଚାରୀଙ୍କ ଫିଟନେସ ଓ୍ବାକର୍‌ସ ସହିତ ଉଦିତନଗରର ଶିକ୍ଷାନୁଷ୍ଠାନ ଛାତ୍ରାବାସର ଅନ୍ତେବାସୀଙ୍କ କ୍ରୀଡ଼ା ଅଭ୍ୟାସ ବନ୍ଦ ହୋଇଯାଇଛି। ଏ ସମ୍ପର୍କରେ ଉଦିତନଗର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ବାରିକ କୁହନ୍ତି, ଆମ ସ୍କୁଲରେ ଖେଳପଡିଆ ବହୁତ ଛୋଟ ଏବଂ ପିଲାସଂଖ୍ୟା ୧୫ଶହରୁ ଊର୍ଦ୍ଧ୍ୱ। ପଡିଆରେ ପାଦ ଥାପିବାକୁ ଜାଗାନାହିଁ। ପୂର୍ବରୁ ସ୍କୁଲ ପିଲାଙ୍କୁ ଉଦିତନଗର ପରେଡ ଗ୍ରାଉଣ୍ଡରେ ଖେଳିବାକୁ ଅନୁମତି ମିଳୁଥିଲା। ମାତ୍ର ଏବେ ଗ୍ରାଉଣ୍ଡଟି ବନ୍ଦ ହୋଇଥିବାରୁ ପିଲାଙ୍କ ଖେଳକୁଦରେ ସମସ୍ୟା ହେଉଛି ବୋଲି ବାରିକ କହିଥିଲେ। ସେହିପରି ମ୍ୟୁନିସିପାଲ କଲେଜର ଖେଳ ଶିକ୍ଷକ ସତ୍ୟନାରାୟଣ ରାଉତ ମତ ଦେଇଥିଲେ, ମ୍ୟୁନିସିପାଲ କଲେଜର ଆଥଲେଟିକ ମିଟ୍‌ ସବୁବର୍ଷ ପରେଡ ଗ୍ରାଉଣ୍ଡରେ ହୁଏ। ମାତ୍ର ଏବର୍ଷ ଗ୍ରାଉଣ୍ଡରେ ଖେଳ ପାଇଁ ରାଉରକେଲା ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ରୋକଠୋକ୍‌ ମନା କରିଦେଲେ। ଆମର ନିଜସ୍ବ ଖେଳ ପଡିଆ ନାହିଁ। ତେଣୁ ସ୍ପୋର୍ଟସ ଇଭେଣ୍ଟ ଆୟୋଜନ କରିବାକୁ ସମସ୍ୟା ହେଉଛି ବୋଲି ରାଉତ କହିଥିଲେ। ବରିଷ୍ଠ କ୍ରୀଡା ସମୀକ୍ଷକ ସୁଶାନ୍ତ ବେହେରାକୁ ପଚାରିବାରୁ ସେ କହିଲେ, ପରେଡ ଗ୍ରାଉଣ୍ଡ ଅନେକ ଜାତୀୟ ଫୁଟବଲ, ବେସବଲ ଓ ସଫ୍ଟବଲ ଖେଳାଳି ତିଆରି କରିଛି। ପଡିଆ ବନ୍ଦ ରହିବାରୁ ସ୍ଥାନୀୟ ଖେଳାଳିଙ୍କ ଅଭ୍ୟାସ ବନ୍ଦ ରହିଛି। ଆଗକୁ ବଡ଼ କ୍ରୀଡ଼ା ପ୍ରତିଯୋଗିତା ହେବାକୁ ରହିଛି। ତେଣୁ ଖେଳାଳିମାନଙ୍କ ନିୟମିତ ଅଭ୍ୟାସ ପାଇଁ ପରେଡ ଗ୍ରାଉଣ୍ଡ ନିହାତି ଆବଶ୍ୟକ ବୋଲି ବେହେରା କହିଥିଲେ। ଏ ସମ୍ପର୍କରେ ରାଉରକେଲା ଡେପୁଟି କମିଶନର ସୁଂଧାଶୁ ଭୋଇଙ୍କୁ ପଚାରିବାରୁ ରାଉରକେଲା ସ୍ମାର୍ଟସିଟି ବିଭାଗ ଏଯାଏ ମହାନଗର ନିଗମକୁ ଉକ୍ତ ଗ୍ରାଉଣ୍ଡ ହସ୍ତାନ୍ତର କରିନାହିଁ। ହସ୍ତାନ୍ତର ନେଇ ବିଚାରବିମର୍ଶ ଚାଲିଛି। ଖୁବ୍‌ଶୀଘ୍ର ପରେଡ ଗ୍ରାଉଣ୍ଡ ଖୋଲାଯିବ ବୋଲି ସେ କହିଥିଲେ।