ବେଙ୍ଗାଲୁରୁ,୨୨ା୧୦: କର୍ନାଟକର ଶିବମୋଗାରେ ଦଶହରା ଉତ୍ସବ ଚାଲିଥିବା ବେଳେ ଏକ ଅଘଟଣକୁ ନେଇ ଆତଙ୍କ ଖେଳିଯାଇଛି । ଶୋଭାଯାତ୍ରା ସମୟରେ ‘ସୋମନ୍ନା’ ନାମକ ଏକ ହାତୀ ହଠାତ୍ ଉଗ୍ର ହୋଇ ଦୌଡ଼ିବାକୁ ଲାଗିଥିଲା। ଏହା ଦେଖି ଉପସ୍ଥିତ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ରାସ୍ତାରେ ଦୁଇଟି ହାତୀ ଦ୍ରୁତ ଗତିରେ ଦୌଡ଼ୁଥିବା ବେଳେ ପୋଲିସ କର୍ମଚାରୀମାନେ ସ୍ଥିତି ନିୟନ୍ତ୍ରଣ କରିବାକୁ ସେମାନଙ୍କ ପଛରେ ଦୌଡ଼ିଥିଲେ।
ଶୋଭାଯାତ୍ରା ସମୟରେ ହାତୀ ସୋମନ୍ନା ହଠାତ୍ ଉତ୍ତେଜିତ ହୋଇ ଦୌଡ଼ିବାରୁ ତା’ ଉପରେ ରଖାଯାଇଥିବା ହାଉଦା ମଧ୍ୟ ଖସିପଡ଼ିଥିଲା। ଫଳରେ ସୁରକ୍ଷାକର୍ମୀ ଓ ସେଠାରେ ଉପସ୍ଥିତ ଲୋକେ ଭୟଭୀତ ହୋଇପଡ଼ିଥିଲେ। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ପଶୁ ଡାକ୍ତରଙ୍କୁ ଡକାଯାଇଥିଲା। ହାତୀକୁ ଶାନ୍ତ କରିବା ପାଇଁ ତାକୁ ନିଶ୍ଚେତକ ଇଞ୍ଜେକ୍ସନ ଦିଆଯାଇଥିଲା। ଘଟଣାର ଖବର ପାଇ ଶିବମୋଗ୍ଗାର ଏସ୍ପି ଓ ଡିଏଫ୍ଓ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ତଦାରଖ କରିଥିଲେ । ପୋଲିସ ଭିଡ଼କୁ ନିୟନ୍ତ୍ରଣ କରିବା ସହ ଲୋକଙ୍କୁ ସୁରକ୍ଷିତ ଦୂରତାରେ ରହିବାକୁ କହିଥିଲା।
ପ୍ରଶାସନର ସୂଚନା ଅନୁସାରେ, ନିଶ୍ଚେତକ ଔଷଧ ଦିଆଯିବା ପରେ ହାତୀ ସୋମନ୍ନାର ସ୍ୱାସ୍ଥ୍ୟରେ ସୁଧାର ଆସୁଛି । ବର୍ତ୍ତମାନ ତାକୁ କୋଟ୍ ସୀତାରାମାଞ୍ଜନେୟ ମନ୍ଦିର ନିକଟରେ ରଖାଯାଇଛି। ପଶୁ ଡାକ୍ତରଙ୍କ ନିରୀକ୍ଷଣରେ ତା’ର ଚିକିତ୍ସା ଓ ସୁସ୍ଥ ହେବା ପ୍ରକ୍ରିୟା ଜାରି ରହିଛି।
ଆସନ୍ତା ବର୍ଷଠାରୁ ହାତୀଙ୍କୁ ଦିଆଯିବ ୨୦ରୁ ୩୦ ଦିନର ପ୍ରଶିକ୍ଷଣ
ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି କର୍ନାଟକର ବନ, ପରିବେଶ ଓ ପରିସଂସ୍ଥିତି ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ। ସେ ଅଧିକାରୀଙ୍କଠାରୁ ରିପୋର୍ଟ ମାଗିବା ସହ ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟେ, ସେଥିପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ, ଆସନ୍ତା ବର୍ଷଠାରୁ ଦଶହରାର ଜମ୍ବୁ ସବାରିରେ ଭାଗ ନେବାକୁ ଥିବା ସମସ୍ତ ହାତୀଙ୍କୁ ଶୋଭାଯାତ୍ରା ପୂର୍ବରୁ ୨୦ ଦିନରୁ ଏକ ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ। ଅଭିଜ୍ଞ ମାହୁନ୍ତ ଓ ହାତୀ ଯତ୍ନକାରୀଙ୍କ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ ଦିଆଯିବ, ଯାହାଦ୍ୱାରା ହାତୀମାନେ ଭିଡ଼ ଓ ଉତ୍ସବର ପରିବେଶ ସହ ଅଭ୍ୟସ୍ତ ହୋଇପାରିବେ।