ଭଞ୍ଜନଗର, ୧୭।୧୧ (ବାବୁଲା ପ୍ରଧାନ): ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅନ୍ତର୍ଗତ କୁଲାଙ୍ଗୀ ଗ୍ରାମରେ। ମୃତକ ହେଉଛନ୍ତି ଗ୍ରାମର ପଞ୍ଚୁ ଭୂୟାଁ (୭୦)।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ପଞ୍ଚୁ ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ ଅସାବଧାନତାବଶତଃ ତାଙ୍କ ଗୋଡ଼ ଖସିଯିବାରୁ ସେ ପୋଖରୀର ଗଭୀର ପାଣିରେ ବୁଡ଼ି ଯାଇଥିବା ଆଶଙ୍କା କରାଯାଉଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଯାଇଛି। ଏହି ଘଟଣାକୁ ନେଇ କୁଲାଙ୍ଗୀ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।