ରାତିରେ ଚାଲିଥିଲା ପଞ୍ଚାୟତ ଅଫିସ କାର୍ଯ୍ୟ, ସବୁ ଖାଇଯିବେ ଭାବି ଘେରିଗଲେ ଲୋକେ

ବାଲେଶ୍ୱର ଅଫିସ,୧୦।୧: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ଅଫିସ କାର୍ଯ୍ୟାଳୟରେ ରବିବାର ଉତ୍ତେଜନା ଦେଖାଦେଇଥିଲା। ଛୁଟିଦିନରେ ରାତି ଅଧିଆ ଅଫିସ କାର୍ଯ୍ୟ ଚାଲୁଥିବା ନେଇ ଲୋକଙ୍କ ମନରେ ସନ୍ଦେହ ଆସିଥିଲା। ପରେ ସେମାନେ ଏହାକୁ ବିରୋଧ କରିଥିଲେ।
ସୂଚନାଯୋଗ୍ୟ, ଉକ୍ତ ପଞ୍ଚାୟତର କର୍ମଚାରୀ କାଳୀଚରଣ ପ୍ରଧାନଙ୍କ ସମେତ ଅନ୍ୟକିଛି ଲୋକ ସନ୍ଧ୍ୟାରେ ଅଫିସ ତାଲା ଖୋଲି ଫାଇଲ କାଢି କାଗଜ ପତ୍ର କାମ କରୁଥିଲେ। ଛୁଟିଦିନରେ ରାତି୮ଟା ସମୟରେ କାଗଜପତ୍ର କାମ ହେଉଥିବାରୁ ଏହାକୁ ଲୋକେ ସନ୍ଦେହ କରି କାଳୀଚରଣଙ୍କୁ ପଚରାଉଚରା କରିଥିଲେ। ମାତ୍ର ସେ ହଡ଼ବଡେଇ ଯିବା ସହିତ ଲୋକଙ୍କୁ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ । ତେଣୁ କାଳୀଚରଣ ଏବଂ ଉପସ୍ଥିତ ଲୋକେ କୌଣସି ବେଆଇନ କାର୍ଯ୍ୟର କାଗଜପତ୍ର ହେରଫେର କରୁଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଖବର ପାଇ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଅଫିସ କାର୍ଯ୍ୟ ହେଉଥିବା ଘଟଣାକୁ ସ୍ବୀକାର କରିଥିଲେ। ତେବେ ଅଭିଯୋଗକାରୀମାନେ ମୁଖ୍ୟ ଫାଟକରେ ତାଲା ପକାଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।