ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି: ଏହି ସବୁ ସମସ୍ୟାର ସମାଧାନ ପାଇଁ ଗୁହାରି କଲେ ଲୋକେ

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଖମାରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଦିଗପହଣ୍ଡି ଅତିରିକ୍ତ ବିଡ଼ିଓ ଉମେଶ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ବହୁଳ କାମରାଖାଳି, ଗୁଣ୍ଡିରିଗୁଡ଼ା ଗ୍ରାମର ବହୁ ସଂଖ୍ୟକ ଗ୍ରାମବାସୀ ପହଞ୍ଚି ପଞ୍ଚାୟତ ସଦର ମହକୁମା ଖମାରି ଗାଁ ଠାରୁ ଜନଜାତି ବହୁଳ ଗାଁ ଗୁଡ଼ିକୁ ପକ୍କା ରାସ୍ତା ନିର୍ମାଣ, ବିଦ୍ୟୁତି କରଣ ଏବଂ ଗ୍ରାମ ନିକଟ ଘାଇ, ଝରଣା ଗୁଡିକରେ ଆନିକଟ ପ୍ରକଳ୍ପ ନିର୍ମାଣ କରାଯାଇ ଚାଷଜମି ଗୁଡ଼ିକୁ ଜଳସେଚନ ପାଇଁ ଦାବି ଜଣାଇଥିଲେ। ସେହିପରି ବାଦ ପଡ଼ିଥିବା ବହୁ ସଂଖ୍ୟକ ହିତାଧିକାରୀ ସେମାନଙ୍କୁ ନୂତନ ଭତ୍ତା , ରାଶନ କାର୍ଡ , ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ପ୍ରଦାନ ସହ ଜମିଜମା ସମ୍ପର୍କିତ ପଟ୍ଟା ସମସ୍ୟା ନେଇ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନଙ୍କୁ ଗୁହାରି କରିଥଲେ। ଅନେକ ଗ୍ରାମକୁ ପକ୍କା ରାସ୍ତା ନଥିବା କାରଣରୁ ଲୋକେ ଜଙ୍ଗଲି ରାସ୍ତାରେ ଯିବା ଆସିବା କରିବା ସହ ବେଳେବେଳେ ଗୁରୁତର ରୋଗୀ,ବୃଦ୍ଧା ବୃଦ୍ଧଙ୍କୁ ଖଟିଆରେ ବୋହିବା କଷ୍ଟକର ହୋଇ ପଡୁଛି ବୋଲି ଗ୍ରାମବାସୀ ସେମାନଙ୍କ ଅଭିଯୋଗ ଜଣାଇଥିଲେ। ସେହିପରି ପଞ୍ଚାୟତ ଅଧୀନ ଗୋଲଣ୍ଡା ଗ୍ରାମ ମୁଖ୍ୟ ରାସ୍ତାରୁ ମା’ ଟିକାଚନ୍ଦ୍ରୀଙ୍କ ପୀଠକୁ ଯାତାୟାତ ନିମନ୍ତେ ଥିବା ପଞ୍ଚାୟତର ମାଟି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇ ପକ୍କା ରାସ୍ତା ନିର୍ମାଣ କରାଯିବା ନେଇ ମନ୍ଦିର ପରିଚାଳନା କମିଟି ଓ ଗ୍ରାମ୍ୟ କମିଟିର କର୍ମକର୍ତ୍ତା ବୃନ୍ଦ ଜନଶୁଣାଣିରେ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ , ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମୀ ପ୍ରକାଶିନୀ ଜାନୀ , ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୁପ୍ତେଶ୍ୱରୀ ମଣ୍ଡଳ, ଏଡିଓ ଶିବ କୁମାର ସାହୁ , ସମିତି ସଭ୍ୟ ପ୍ରତିନିଧି ଭଗବାନ ମହାପାତ୍ର , ଯୋଗାଣ ସହାୟକ ସୁଶାନ୍ତ ମିଶ୍ର , ଡ୍ରେନେଜ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ଭଗବାନ ରଥ , ସହକାରୀ ମତ୍ସ୍ୟ ଅଧିକାରୀ ଜୟଭଦ୍ର ମହାରଣା , ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଇଂ. ମନୋଜ ମହାରଣା , ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଇଂ. ଲଡୁ କିଶୋର ବେହେରା , ଘୋଡାହାଡ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଇଂ. କ୍ଷୀରୋଦ ବେହେରା , ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ , ଉଦ୍ୟାନ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ସେଠୀ , ମୃତ୍ତିକା ସଂରକ୍ଷଣ ପରାମର୍ଶଦାତା ଜଗଦୀଶ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

Odisha’s No.1 Odia Daily

Share
Tags: odisha