ପଞ୍ଚାୟତ ନିର୍ବାଚନ: ଆଜିଠୁ ନାମାଙ୍କନ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଗାଁରେ ନିର୍ବାଚନ ମାହୋଲ ଜମିଲାଣି। ସବୁ ଦଳ ନିଜର ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ମଧ୍ୟ ଜୋରଦାର କରିଛନ୍ତି। ତେବେ ୫ଟି ପର୍ଯ୍ୟାୟରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ୨୨ ତାରିଖରେ ପ୍ରାର୍ଥତ୍ପତ୍ରଗୁଡ଼ିକର ଯାଞ୍ଚ କରାଯିବ। ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ। ସେହିଦିନ ହିଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। କୋଭିଡ୍‌ କଟକଣା ଦୃଷ୍ଟିରୁ ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀଙ୍କ ସହ ଜଣେ ପ୍ରସ୍ତାବକ ହିଁ ରହିପାରିବେ।

ଅନ୍ୟପକ୍ଷରେ ଏଥର ପ୍ରାର୍ଥୀମାନେ ସତ୍ୟପାଠ ମଧ୍ୟ ଦାଖଲ କରିବେ। ସତ୍ୟପାଠ ଭୁଲ୍‌ ପ୍ରମାଣିତ ହେଲେ ଦଣ୍ଡିତ କରାଯିବାକୁ ବ୍ୟବସ୍ଥା କରାଯାଇଛି। ପ୍ରାର୍ଥୀମାନେ ଏବେ ଡକ୍ୟୁମେଣ୍ଟ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ସେପଟେ କୋଭିଡ୍‌ କଟକଣା ଦୃଷ୍ଟିରୁ ଡିଜିଟାଲ୍‌ ମାଧ୍ୟମରେ ପ୍ରଚାରକୁ ଜୋରଦାର କରିବାକୁ ଆଶାୟୀ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛନ୍ତି। ସୋସିଆଲ୍‌ ମିଡିଆ ଜରିଆରେ କିପରି ନିଜ ସପକ୍ଷରେ ଲୋକଙ୍କୁ ଆକୃଷ୍ଟ କରିପାରିବେ, ତାହାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ତା’ସହ ଗାଁରେ ଆଶାୟୀମାନେ ଘର ଘର ବୁଲିବା ଆରମ୍ଭ କରିସାରିଛନ୍ତି। ସୂଚନାଯୋଗ୍ୟ, ଫେବୃୟାରୀ ୧୬ରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ମୋଟ ୯୧୯୧୩ ୱାର୍ଡ ମେମ୍ବର, ୬୭୯୪ ସରପଞ୍ଚ, ୬୭୯୩ ସମିତି ସଭ୍ୟ ଓ ୮୫୩ ଜିଲା ପରିଷଦ ପଦ ପାଇଁ ଭୋଟ ହେବ। ରାଜ୍ୟର ମୋଟ ୨ କୋଟି ୭୯ ଲକ୍ଷ ୩୫ ହଜାର ୫୨୦ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ତେବେ ଜଗତ୍‌ସିଂହପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡମେମ୍ବର ନିମନ୍ତେ ନିର୍ବାଚନ ହେବ ନାହିଁ। ଭୋଟ୍‌ ପାଇଁ ଏବେ ରାଜ୍ୟ ସାରା ଗାଁ ଗହଳରେ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି।