ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି। ନିର୍ବାଚନ ପରିଚାଳନା ପାଇଁ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଏଥିପାଇଁ ଏକ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରକାଶ କରାଯିବ।
ଭୋଟର ତାଲିକା ସଂଶୋଧନ ଓ ନୂତନ ନାମ ସାମିଲ ପାଇଁ ଅକ୍ଟୋବର ୨୪ ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ କରାଯିବ। ସର୍ଭେ ଶେଷ ହେବା ପରେ ଭୋଟର ତାଲିକା ସମ୍ପର୍କିତ ଆପତ୍ତି ଓ ଅଭିଯୋଗ ଗ୍ରହଣ କରାଯିବ ଏବଂ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ପଞ୍ଚାୟତଗୁଡ଼ିକର କାର୍ଯ୍ୟକାଳ ଫେବ୍ରୁଆରୀ ମାସରେ ଶେଷ ହେଉଥିଲେ ହେଁ, ବର୍ତ୍ତମାନ ଜନଗଣନା ପ୍ରକ୍ରିୟା ଜାରି ରହିଥିବାରୁ ନିର୍ବାଚନ ପ୍ରକ୍ରିୟାରେ ପ୍ରାୟ ମାସେ ବିଳମ୍ବ ହେଉଛି। ଜନଗଣନା ସରିବା ପରେ, ଅର୍ଥାତ ମାର୍ଚ୍ଚ ୫ ତାରିଖ ପରେ ନିର୍ବାଚନ ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା ହୋଇପାରେ। ଏହାସହ ପଞ୍ଚାୟତ ନିର୍ବାଚନ ଶେଷ ହେବାର ପ୍ରାୟ ମାସକ ପରେ ପୌର ନିର୍ବାଚନ (ୟୁଏଲବି) କରାଯିବା ନେଇ ଯୋଜନା ରହିଛି ବୋଲି ସେ କହିଛନ୍ତି।