ପଞ୍ଚାୟତ ଉପନିର୍ବାଚନ: ଭୋଟ ବାକ୍ସରେ ୨ ପ୍ରାର୍ଥୀଙ୍କ ଭାଗ୍ୟ

ଜୁନାଗଡ଼,୨୪।୨: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭଇଁରୀଗୁଡ଼ା ପଞ୍ଚାୟତରେ ବୁଧବାର ଉପନିର୍ବାଚନ ସମ୍ପନ୍ନ ହୋଇଛି। ୨ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଭୋଟ ବାକ୍ସରେ ସିଲ୍‌ ହୋଇଛି। ଗୁରୁବାର ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣତି ହେବ। ଉପନିର୍ବାଚନରେ ପଞ୍ଚାୟତର ଭଇଁରୀଗୁଡା ସମେତ କୁରୁଗୁଡ଼ା, ମରାଜୋର ଓ ପୋରାଗାଁର ୧୧ଟି ୱାର୍ଡର ୩୦୬୯ଜଣ ଭୋଟରଙ୍କ ମଧ୍ୟରୁ ୨୨୬୮ ମତଦାତା ନିଜ ମତଦାନ କରିଥିଲେ। ଯାହାକି ୭୩.୯୦% ପ୍ରତିଶତ ମତଦାନ ହୋଇଥିଲା। ସରପଞ୍ଚ ପ୍ରାର୍ଥୀ ଭାବେ ଦେବରାଜ ବାଣୁଆ ଓ ମୃତ କୋଭିଡ୍‌ ଯୋର୍ଦ୍ଧା ସରପଞ୍ଚ ଲକ୍ଷ୍ମୀଧର ପାତ୍ରଙ୍କ ପୁଅ ପଞ୍ଚାନନ ପାତ୍ର ରହିଛନ୍ତି। ଉପନିର୍ବାଚନ ପାଇଁ ଜିଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା। ନିର୍ବାଚନ ଅଧିକାରୀ ଭାବେ ଜୁନାଗଡ଼ ବିଡିଓ ଦୁଲାରାମ ମାରାଣ୍ଡି, ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାର ବେଦବ୍ୟାସ ଭୋଇ ଓ ସେକ୍ଟର ଅଧିକାରୀ ଭାବେ ବିଏସ୍‌ଏସ୍‌ଓ ତୁଷାର ରଞ୍ଜନ ସାହୁ ପ୍ରମୁଖ ନିର୍ବାଚନୀ ଦାୟିତ୍ୱ ତୁଲାଇଥିଲେ।