ଅବ୍ୟବସ୍ଥା ଘେରରେ ପଲମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ପଲମ,୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ପଲମ ପଞ୍ଚାୟତସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅନେକ ଅବ୍ୟବସ୍ଥା ଘେରରେ ଗତି କରୁଛି। ଆଜକୁ ଦୀର୍ଘ ଦିନ ହେଲା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ରୋଗୀମାନେ ସମସ୍ୟାରେ ପଡୁଛନ୍ତି। ଆୟୁଷ ଡାକ୍ତର ରାଜେଶ କୁମାର ସାହୁ ଦାୟିତ୍ୱରେ ଥିଲେ ମଧ୍ୟ ସପ୍ତାହକୁ ଥରେ ଆସି ଦେଖାଦେଇ ଚାଲି ଯାଆନ୍ତି। ରୋଗୀମାନଙ୍କ କଥା ବୁଝନ୍ତି ନାହଁି। ବର୍ତ୍ତମାନ ଜଣେ ଫର୍ମାସିଷ୍ଟ ଭବାନିଶଙ୍କର ପାତ୍ର ଓ ଏଏନଏମ ଦୁତିଆନରଣା ଏବଂ ପିଅନ ଜୟନ୍ତି ସାହୁଙ୍କ ଦ୍ୱାରା ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳିତ ହେଉଛି। ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ, ୨୦୨୦ରେ ପଲମ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବଚ୍ଛ ଭାରତ ଅଭିଯାନ ଦ୍ୱାରା ୨ଟି ଶୌଚାଳୟ ନିର୍ମିତ ହୋଇଥିଲା। ଚଳିତବର୍ଷ ନର୍ଲା ବ୍ଲକସ୍ତରୀୟରୁ ଆଉ ୨ଟି ଶୌଚାଳୟ ନର୍ମାଣ ପାଇଁ ଏକ ଲକ୍ଷ ଟଙ୍କା ମଞ୍ଜୁର ହୋଇ ନିର୍ମାଣ ହୋଇଥିଲା। କିନ୍ତୁ ନୂତନ ଭାବେ ନିର୍ମାଣ ନ କରି ପୁରୁଣା ଶୌଚାଳୟକୁ ଉପର ଆଜବେଷ୍ଟର ଭାଙ୍ଗି ସେହିଠାରେ ହିଁ ଛାତ ପକାଯାଇଛି। ବର୍ତ୍ତମାନ ସୁଦ୍ଧା ଶୌଚାଳୟରେ ପାଣି ଟାଙ୍କି କିମ୍ବା ଅନ୍ୟାନ୍ୟ ଉପଦ୍ରବ୍ୟ ମଧ୍ୟ ଲଗାଯାଇ ନାହିଁ। ନର୍ଲା ବ୍ଲକ ଜେଇ ବିଚିତ୍ରା ନନ୍ଦ ନାଏକ ଏହି କାର୍ଯ୍ୟ କରିବା କଥା କିନ୍ତୁ ସେ ନିଜେ ନ କରି ପଲମ ପଞ୍ଚାୟତସ୍ଥିତ ମହଗଁା ଗ୍ରାମର ସୁରେଶ ଭୋଇଙ୍କୁ ଦେଇ ବିଲ୍‌ ମଧ୍ୟ ସମ୍ପୂର୍ଣ୍ଣ କରାଯାଇଛି। ଏହି ବାବଦ ନେଇ ପଲମ ସ୍ବାସ୍ଥ୍ୟ କେନ୍ଦ୍ର ଫର୍ମାସିଷ୍ଟ ଭବାନିଶଙ୍କର ପାତ୍ରଙ୍କୁ ପଚାରି ବୁଝିବାରେ ଏହି ଘଟଣା ସମ୍ପୂର୍ଣ୍ଣ ସତ୍ୟ ଅଟେ ବୋଲି ପ୍ରକାଶ କରିଥିଲେ। ନର୍ଲା ବ୍ଲକ ଜେଇ ନାଏକଙ୍କୁ ପଚାରି ବୁଝିବାରେ କମ୍‌ ଟଙ୍କା ଥିବା ଯୋଗୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ ବୋଲି ପ୍ରକାଶ କରିଥିଲେ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସାଧାରଣରେ ଦାବି ହେଉଛି।