Categories: ଖେଳ

ଭାରତ ଉପରେ ରାଗିକି ନିଆଁବାଣ ଏହି ପାକିସ୍ତାନ କ୍ରିକେଟର୍‌: କହିଲେ…

ଇସଲାମାବାଦ୍‌,୨୭।୯: ନିକଟରେ ପାକିସ୍ତାନ ଗସ୍ତରେ ଆସିଥିବା ନ୍ୟୁଜିଲ୍ୟାଣ୍ଡ ଦଳ ମ୍ୟାଚର ୫ ମିନିଟ ପୂର୍ବରୁ ପାକିସ୍ତାନ ଗସ୍ତକୁ ବାତିଲ କରିଦେଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କ୍ରିକେଟ ପଡିଆ ଥାଉ କି ନ ଥାଉ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଅନେକ ଥର ଦେଖିବାକୁ ମିଳିଛି ଯେ, ପାକିସ୍ତାନର ଖେଳାଳିମାନେ ଭାରତ ବିଷୟରେ କିଛି ବିବୃତ୍ତି ଦେଇଥାନ୍ତି। ଏଥର ମଧ୍ୟ ସମାନ ଘଟଣା ଘଟିଛି। ପାକିସ୍ତାନର ପୂର୍ବତନ ଅଧିନାୟକ ଶହିଦ ଆଫ୍ରିଦି ଭାରତକୁ ଟାର୍ଗେଟ କରିଛନ୍ତି। ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫୱାଡ ଚୌଧୁରୀ ଦାବି କରିଛନ୍ତି ଯେ, ନ୍ୟୁଜିଲାଣ୍ଡ ଦଳ ଗସ୍ତ ବାତିଲ କରିବା ପରେ ଭାରତରୁ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା। କିନ୍ତୁ ଏହାର ଲୋକେସନ୍‌ ଭିପିଏନ୍‌ ମାଧ୍ୟମରେ ସିଙ୍ଗାପୁରକୁ ଦେଖାଯାଇଥିଲା।
ଏହା ଉପରେ ଆଫିଦି କହିଥିଲେ, ଆମକୁ ବିଶ୍ୱକୁ କହିବାକୁ ପଡ଼ିବ ଯେ ଆମେ ମଧ୍ୟ ଏକ ଦେଶ ଏବଂ ଏଥିପାଇଁ ଆମକୁ ଏପରି କିଛି ନିଷ୍ପତ୍ତି ନେବାକୁ ପଡ଼ିବ। ଆମର ମଧ୍ୟ କିଛି ସମ୍ମାନ ଅଛି। ସମସ୍ତେ ଶିକ୍ଷିତ ରାଷ୍ଟ୍ର ଏବଂ ସେମାନେ ଭାରତ ଭଳି କରିବା ଉଚିତ୍‌ ନୁହେଁ। ଖେଳାଳିମାନେ ସେମାନଙ୍କ ବୋର୍ଡ ସହିତ କଥାବାର୍ତ୍ତା କରି କ୍ରିକେଟରମାନଙ୍କୁ ପ୍ରବର୍ତ୍ତାଇଲେ କ୍ରିକେଟ ପୁଣି ପାକିସ୍ତାନରେ ଆରମ୍ଭ ହୋଇପାରିବ। କ୍ରିକେଟ ପାକିସ୍ତାନକୁ ଫେରି ଆସିଥିଲା ଏବଂ ଆତଙ୍କବାଦ ବିରୋଧରେ ଏହା ଆମର ବିଜୟ ଥିଲା। ସମସ୍ତେ ସେମାନଙ୍କର ଭୂମିକା ଗ୍ରହଣ କରିଥିଲେ। କୌଣସି ଗସ୍ତ ଏହିପରି ଆରମ୍ଭ ହୁଏ ନାହିଁ, ସୁରକ୍ଷା ଦେଖିବା ପରେ ହିଁ କୌଣସି ଗସ୍ତ ଆରମ୍ଭ ହୁଏ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ପାକିସ୍ତାନ ଗସ୍ତ ବାତିଲ ହେବା ପରେ ଇଂଲଣ୍ଡ ମହିଳା ଏବଂ ପୁରୁଷ ଦଳମଧ୍ୟ ପାକିସ୍ତାନ ଗସ୍ତକୁ ବାତିଲ କରି ପିସିବିକୁ ଏକ ବଡ ଝଟକା ଦେଇଥିଲା।

Share