ରାଜ କପୁର, ଦିଲ୍ଲିପ କୁମାରଙ୍କ ପୈତୃକ ଘର କିଣିବେ ପାକିସ୍ତାନ ସରକାର

ଇସଲାମାବାଦ,୨୮ ।୯: ପାକିସ୍ତାନର ଖେବର-ପଖତନୱା ଅଞ୍ଚଳରେ ଐତିହାସିକ ସ୍ମାରକର ସଂରକ୍ଷଣ କରିବାକୁ ଯାଇ ସରକାର ଏବେ ବଲିଉଡ୍‌ର ନାମୀ କଳାକାର ଅଭିନେତା ରାଜ କପୁର ଓ ଦିଲ୍ଲିପ କୁମାରଙ୍କ ପୈତୃକ ଘରକୁ କ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ଉଭୟ କଳାକାରଙ୍କ ଘର ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ଏହାପ୍ରାୟ ଧ୍ୱଂସ ହେବାକୁ ଯାଉଛି । ଖେବର-ପଖତନୱା ଅଞ୍ଚଳର ପତ୍ନତତ୍ତ୍ୱ ବିଭାଗ ଏହି ଦୁଇ ପୈତୃକ ଘରକୁ କ୍ରୟ କରିବାକୁ ପର୍ଯ୍ୟାପ୍ତ ଅର୍ଥ ଦେବାକୁ ପ୍ରସ୍ତୁତ ଅଛି ବୋଲି ଜଣାପଡିଛି । ଏହାକୁ ରାଷ୍ଟ୍ରୀୟ ଐତିହ୍ୟ ଘୋଷଣା କରାଯାଇଛି । ଏହି ଦୁଇ କଳାକାରଙ୍କ ଘର ପେଶାୱର ସହରରେ ଅବସ୍ଥିତ । ପ୍ରତ୍ନତତ୍ତ୍ୱ ବିଭାଗର ମୁଖ୍ୟ ଡ. ଅବଦୁସ ସମଦ ଖାଁ କହିଛନ୍ତି ଉଭୟ ଐତିହାସିକ ଭବନର ମୂଲ୍ୟ ନିର୍ଣ୍ଣୟ କରିବାକୁ ପେଶାୱରରର ଡେପୁଟି କମିଶନରଙ୍କ ନିକଟକୁ ଏକ ସରକାରୀ ପତ୍ର ଲେଖାଯାଇଛି । ଯେଉଁଠାରେ ଭାରତ ପାକିସ୍ତାନ ବିଭାଜନ ପୂର୍ବରୁ ବଲିଉଡ୍‌ର ଦୁଇ ମହାନ କଳାକାର ଜନ୍ମଗ୍ରହଣ କରିଥିଲେ । ରାଜକପୁରଙ୍କ ପୈତୃକ ଘର ‘କପୁର ହାୱଲି’ ନାଁରେ ପରିଚିତ ଥିବା ବେଳେ ଏହା କିସା ଖୱାନି ବଜାରରେ ଅବସ୍ଥିତ । ୧୯୧୮ରୁ ୧୯୨୨ ମଧ୍ୟରେ ଏହା ରାଜ କପୁରଙ୍କ ଜେଜେବାପା ଦେୱାନ ବଶେଶ୍ୱରନାଥ କପୁରଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ଅଭିନେତା ଦିଲ୍ଲୀପ କୁମାରଙ୍କ ୧୦୦ ବର୍ଷ ପୁରୁଣା ପୈତୃକ ଘର ମଧ୍ୟ ଏହି ଅଞ୍ଚଳରେ ଅବସ୍ଥିତ । ଏହା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ୨୦୧୪ରେ ନୱାଜ ସରିଫ ସରକାର ଏହାକୁ ଜାତୀୟ ଐତିହ୍ୟ ଘୋଷଣା କରିଥିଲେ । କିଛିଦିନ ପୂର୍ବେ ଏହାକୁ ଭାଙ୍ଗି ଦେବାକୁ ଉଦ୍ୟମ କରାଯାଉଥିବା ବେଳେ ସରକାର କିନ୍ତୁ ଏହାକୁ ସଂରକ୍ଷଣ କରି ରଖିବାକୁ ଚେଷ୍ଟା କରିଛନ୍ତି ବୋଲି କୁହାଯାଏ । ତେବେ କପୁର ମହଲର ମାଲିକ ଅଲି କାଦର କହିଛନ୍ତି ସେ ସେହି କୋଠାକୁ ଭାଙ୍ଗିବାକୁ ଚାହୁଁ ନାହାଁନ୍ତି । ଏହାର ସଂରକ୍ଷଣ ପାଇଁ ସେ ପ୍ର୍‌ତ୍ନତତ୍ତ୍ୱ ବିଭାଗ ନିକଟରେ ନିବେଦନ କରିଥିବା ଦାବି କରିଛନ୍ତି । ଏହାସହ ଘରର ମାଲିକ ଏହାକୁୁ ସରକାରଙ୍କୁ କ୍ରୟ କରିବାକୁ ୨୦୦ କୋଟି ଟଙ୍କା ଦାବି କରିଥିବା କୁହାଯାଏ ।

Share