ଭାରତ ସହିତ ୧୦୦ ବର୍ଷ ଶାନ୍ତି ବଜାୟ ରଖିବାକୁ ପାକିସ୍ତାନର ଯୋଜନା…

ଇସଲାମାବାଦ୍‌, ୧୩।୧ : ଭାରତ ସହିତ ପାକିସ୍ତାନ ଯଦିଓ ଆତଙ୍କବାଦୀ ଅନୁପ୍ରବେଶ ଘଟଣା ଏବଂ ପ୍ରକ୍ସି ଯୁଦ୍ଧ ଜାରି ରଖିଛି। ତେବେ ପାକିସ୍ତାନ ଏହାର ନୂତନ ନୀତିରେ ଭାରତ ସହିତ ୧୦୦ ବର୍ଷ ଧରି ଶାନ୍ତିପୂର୍ଣ୍ଣ ସମ୍ପର୍କ ବିଷୟରେ ଉଲ୍ଲେଖ କରାଯାଇଛି। ନୂତନ ଜାତୀୟ ସୁରକ୍ଷା ନୀତିରେ ପାକିସ୍ତାନ ଭାରତ ସହ ଶାନ୍ତିପୂର୍ଣ୍ଣ ସମ୍ପର୍କ, ସାଧାରଣ ବ୍ୟବସାୟ ଏବଂ ଅର୍ଥନୈତିକ କାରବାର ବିଷୟ ଉପରେ ଗୁରୁତ୍ୱାରୋପ କରିଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶୁକ୍ରବାର ଏହି ନୀତିର ଡ୍ରାଫ୍ଟ ପ୍ରକାଶ କରିବେ। କେବଳ ଏତିକି ନୁହେଁ, ଏହି ନୀତି ଅନୁଯାୟୀ ଜମ୍ମୁ-କଶ୍ମୀରର ସମସ୍ୟାର ସମାଧାନକୁ ଅପେକ୍ଷା କରିବା ନେଇ କୌଣସି ଆଲୋଚନା ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ। ଏହି ନୀତିରେ ଦର୍ଶାଯାଇଛି ଯେ ଭାରତ ସହ ଆଲୋଚନା ଚାଲିଛି ଏବଂ ଆମର ସମ୍ପର୍କ ଶାନ୍ତିପୂର୍ଣ୍ଣ ହେବାର ଆଶା ରହିଛି।

ଭାରତ ଜମ୍ମୁ-କଶ୍ମୀରରୁ ଧାରା ୩୭୦ କୁ ହଟାଇବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡି ଯାଇଛି। ଅଗଷ୍ଟ ୨୦୧୯ ରେ ଭାରତର ନିଷ୍ପତ୍ତି ପରେ ପାକିସ୍ତାନ ବ୍ୟବସାୟ ବନ୍ଦ କରିଦେଇଥିଲା। କେବଳ ଏତିକି ନୁହେଁ, ଗତ ବର୍ଷ ପୁଣିଥରେ ପାକିସ୍ତାନ କହିଥିଲା ଯେ ଯଦି ଜମ୍ମୁ-କଶ୍ମୀରକୁ ନେଇ ଭାରତ ନିଷ୍ପତ୍ତି ନକରେ ତେବେ ସାଧାରଣ ବ୍ୟବସାୟ ସମ୍ଭବ ନୁହେଁ।

ପାକିସ୍ତାନର ନୂତନ ନୀତିରେ ଆର୍ମି ଚିଫ ଜେନେରାଲ କମର ଜାଭେଦ ବାଜୱାଙ୍କ ଭାବନା ଦୃଶ୍ୟମାନ ହେଉଛି। ସେ ଅତୀତରେ କହିଥିଲେ ଯେ ଭୂ-ଅର୍ଥନୀତି ଉପରେ ଧ୍ୟାନ ଦେଇ ଆମକୁ ଇତିହାସ ଭୁଲିଯିବାକୁ ପଡ଼ିବ ଏବଂ ବୈଦେଶିକ ନୀତି ବିଷୟରେ ନିଷ୍ପତ୍ତି ନେବାକୁ ପଡିବ।

ତେବେ ଜମ୍ମୁ କଶ୍ମୀର ଉପରେ ନିଜର ଆଭିମୁଖ୍ୟ ଉପରେ ବିଚାର କରିବାକୁ ପାକିସ୍ତାନ ଏହି ଡ୍ରାଫ୍ଟରେ କହିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଭାରତ କ୍ରମାଗତ ଭାବରେ ସ୍ପଷ୍ଟ କରିଛି ଯେ ଦୁଇ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନ ସୀମା ଆତଙ୍କବାଦକୁ ରୋକିବା ଆବଶ୍ୟକ। ତେବେ ଏପର୍ଯ୍ୟନ୍ତ ପାକିସ୍ତାନ ଏହି ଦିଗରେ କୌଣସି ପଦକ୍ଷେପ ନେଇନାହିଁ।

ଡ୍ରାଫ୍ଟ ପ୍ରକାଶ ପୂର୍ବରୁ ବୁଧବାର-ଗୁରୁବାର ବିଳମ୍ବିତ ରାତିରେ ପାକିସ୍ତାନୀ ଆତଙ୍କବାଦୀ ବାବର ଭାଇ ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷା ବାହିନୀଙ୍କ ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି।

ବାବର ଜୈଶ-ଇ-ମହମ୍ମଦ ସଂଗଠନର ସଦସ୍ୟ। ଗତ ୪ ବର୍ଷ ଧରି ଜମ୍ମୁ-କଶ୍ମୀରରେ ସେ ବହୁ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିଲେ।

Share