ଅଭିଷେକଙ୍କ ବ୍ୟାଟିଂ ଦେଖି ପାକିସ୍ତାନର ଉଡ଼ିଗଲା ହୋଶ୍‌: ପୂର୍ବତନ କ୍ରିକେଟର୍‌ କହିଲେ, ଏଭଳି ତାଣ୍ଡବ କେବେ ଦେଖିନାହିଁ

ନୂଆଦିଲ୍ଲୀ,୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଇନିଂସ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଛି। ମାତ୍ର ୩୫ ବଲ୍‌ରେ ଶତକ ହାସଲ କରିବା ସହ ୩୮ ବଲ୍‌ରେ ୧୧୩ ରନ କରିଥିଲେ ଏହି ବାମହାତୀ ବ୍ୟାଟର। ତାଙ୍କ ବ୍ୟାଟିଂ ଆଗରେ ନ୍ୟୁଜିଲାଣ୍ଡର ବୋଲରମାନେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ। ଅଭିଷେକଙ୍କ ଏହି ପ୍ରଦର୍ଶନକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।
ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ପାକିସ୍ତାନର ପୂର୍ବତନ ଉଇକେଟକିପର୍‌ ବ୍ୟାଟର୍‌ କମରାନ ଅକମଲ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଅଭିଷେକଙ୍କ ଇନିଂସକୁ ପ୍ରଶଂସା କରି ସେ ମଇଦାନରେ ଏଭଳି ତାଣ୍ଡବ ପୂର୍ବରୁ ଦେଖି ନ ଥିବା କହିଛନ୍ତି। ଭାରତୀୟ ଯୁବ ବ୍ୟାଟରଙ୍କ ଆକ୍ରମଣାତ୍ମକ ଖେଳ ଏବଂ ସାଥୀ ଖେଳାଳିଙ୍କ ସହଯୋଗକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଅଭିଷେକଙ୍କ ଏହି ଇନିଂସ ତାଙ୍କୁ କେବଳ ଭାରତରେ ନୁହେଁ, ବରଂ ସୀମାପାର କ୍ରିକେଟ ମହଲରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରକୁ ଆଣିଛି।
୨୭ ଅକ୍ଟୋବରରେ ୱେଲିଂଟନ୍‌ରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ। ସେ ନିଜର ୩୮ ବଲ୍‌ର ଇନିଂସରେ ୯ଟି ଚୌକା ଓ ୧୧ଟି ଛକା ମାରିଥିଲେ। ମାତ୍ର ୧୪ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିବା ପରେ ୩୫ ବଲ୍‌ରେ ଶତକ ହାସଲ କରିଥିଲେ। ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ଭାରତ ପାଇଁ ବିଜୟର ରାସ୍ତା ସହଜ କରିଦେଇଥିଲା।
ଅଭିଷେକଙ୍କ ସହ ମାତ୍ର ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିରାଶ କରିଥିଲେ। ସେ ମାତ୍ର ୧୯ ବଲ୍‌ରେ ୪୫ ରନ କରିଥିଲେ। ଉଭୟ ପ୍ରଥମ ଉଇକେଟ ପାଇଁ ୭.୧ ଓଭରରେ ୧୩୩ ରନ୍ର ଦ୍ରୁତ ଭାଗୀଦାରି କରିଥିଲେ। ଭାରତୀୟ ଦଳ ପାୱାରପ୍ଲେର ୬ ଓଭରରେ କୌଣସି ଉଇକେଟ ନହରାଇ ୧୧୮ ରନ ସଂଗ୍ରହ କରିଥିଲା। ପୁରୁଷ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ପାୱାରପ୍ଲେରେ ଏହା ଏକ ଐତିହାସିକ ଦଳଗତ ସ୍କୋର।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୩ ଉଇକେଟ ହରାଇ ୧୯୮ ରନ କରିଥିଲା। ଡାରିଲ ମିଚେଲ ଅପରାଜିତ ୮୯ ରନ୍‌ର ଇନିଂସ ଖେଳିଥିଲେ। ଜବାବରେ ଭାରତ ମାତ୍ର ୧୩.୨ ଓଭରରେ ୪ ଉଇକେଟ ହରାଇ ୧୯୯ ରନ୍‌ର ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୩-୦ରେ ଅଗ୍ରଣୀ ହାସଲ କରିଛି।

 

Dharitri – Odisha’s No.1 Odia Daily

 

Share