Categories: ଜାତୀୟ

ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର, ଏଲ୍‌ଓସିରେ ମହିଳା ଅନୁପ୍ରବେଶକାରୀ…

ଶ୍ରୀନଗର, ୧୩।୧୨: ପାକିସ୍ତାନର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଜମ୍ମୁ-କଶ୍ମୀରର ଏଲ୍‌ଓସି ନିକଟବର୍ତ୍ତୀ ଆର୍‌ଏସ୍‌ପୁରା ଅଞ୍ଚଳରେ ଜଣେ ପାକିସ୍ତାନୀ ମହିଳା ଅନୁପ୍ରବେଶକାରୀଙ୍କର ଭାରତୀୟ ସେନା ଗୁଳିରେ ମୃତ୍ୟୁ ଘଟିଛି। ସୂଚନାନୁସାରେ, ସୀମା ଆରପାରିରୁ କିଛି ଲୋକ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଯବାନମାନେ ସନ୍ଦେହଜନକ ସ୍ଥିତି ଦେଖି ସେମାନଙ୍କୁ ଚେତାବନୀ ଦେଇଥିଲେ। କିନ୍ତୁ ଅନୁପ୍ରବେଶକାରୀମାନେ ଏହାକୁ ଅଣଦେଖା କରିଥିଲେ।

ଅନୁପ୍ରବେଶକାରୀମାନେ ଭାରତୀୟ ଅଞ୍ଚଳରେ ପହଞ୍ଚିବା ପରେ ପାଟ୍ରୋଲିଂ କରୁଥିବା ଯବାନମାନେ ସେମାନଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଦୌଡ଼ି ପଳାଇବାକୁ ଲାଗିଲେ। ଫଳରେ ବାଧ୍ୟ ହୋଇ ଭାରତୀୟ ସେନା ପକ୍ଷରୁ ଫାୟରିଂ କରାଯାଇଥିଲା। ଏଥିରେ ସମ୍ପୃକ୍ତ ମହିଳାଙ୍କର ମୃତ୍ୟୁ ଘଟିଛି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ପାକିସ୍ତାନୀ ଆତଙ୍କବାଦୀମାନେ ଜାଣିଶୁଣି ଏବେ ମହିଳାଙ୍କ ଦ୍ୱାରା ଅନୁପ୍ରବେଶ କାର୍ଯ୍ୟ କରୁଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ବିଏସଏଫ ମୁଖପାତ୍ର କହିଛନ୍ତି ଯେ ଆର୍‌ଏସ୍‌ପୁରା ସେକ୍ଟରରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗୁଳି କରାଯାଇଛି।

ପୋଲିସର ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି ଯେ କିଛି ଆତଙ୍କବାଦୀ ଅନୁପ୍ରବେଶ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ଡିଜିପି କହିଛନ୍ତି ଯେ ଲୋକଙ୍କ ସୁରକ୍ଷା ତଥା ଆତଙ୍କବାଦ ନିରୋଧୀ କାର୍ଯ୍ୟରେ ସେନା ଏବଂ ପାରାମିଲିଟାରୀ ଫୋର୍ସ ସହ ସମନୱୟ ରକ୍ଷା କରି ପୋଲିସ କାର୍ଯ୍ୟ କରୁଛି। ଏହି କାରଣରୁ ଆତଙ୍କବାଦୀମାନେ ପୋଲିସକୁ ଟାର୍ଗେଟ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ବାନ୍ଦିପୋରା ଆକ୍ରମଣ ସମ୍ପର୍କରେ ସେ କହିଛନ୍ତି ଯେ ଏହି ଆକ୍ରମଣ ସହ ଜଡିତ କିଛି ସୂତ୍ର ମିଳିଛି ଯେଉଁଥିରେ ପୋଲିସ କାର୍ଯ୍ୟ କରୁଛି।
ଡିଜିପି କହିଛନ୍ତି ଯେ ଉତ୍ତର କାଶ୍ମୀରରେ ଆତଙ୍କବାଦୀଙ୍କ ସଂଖ୍ୟା ଅଧିକ ନୁହେଁ। ଶୀଘ୍ର ଏହି ଅଞ୍ଚଳ ଆତଙ୍କବାଦ ମୁକ୍ତ ହେବାର ଆଶା ରହିଛି।

Share