ମାସୁଦ ଆଝାରଙ୍କ ନା’ରେ ଗିରଫ ଓ୍ବାରେଣ୍ଟ ଜାରି

ଲାହୋର,୭।୧: ଜୟଶ-ଇ-ମହମ୍ମଦ (ଜେଇଏମ୍‌) ମୁଖ୍ୟ ମାସୁଦ ଆଝାରଙ୍କୁ ଗିରଫ କରିବା ପାଇଁ ଗୁରୁବାର ଓ୍ବାରେଣ୍ଟ ଜାରି କରିଛନ୍ତି ପାକିସ୍ତାନର ଆଣ୍ଟି ଟେରରଜିମ୍‌ କୋର୍ଟ। ଆତଙ୍କବାଦୀ କାର୍ଯ୍ୟକଳାପକୁ ଆର୍ଥିକ ସହାୟତା ଯୋଗାଇବା ମାମଲାର ଶୁଣାଣି କରି ଆଣ୍ଟି ଟେରରିଜମ କୋର୍ଟ (ଏଟିସି)ର ବିଚାରପତି ନତାଶା ନସିମ ସୁପ୍ରା ଆଝରଙ୍କୁ ଗିରଫ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଜାବ ପୋଲିସର ଆତଙ୍କବାଦୀ ନିରୋଧି ବିଭାଗ (ସିଟିଡି) ଜେଇଏମ୍‌ର କିଛି ସଦସ୍ୟଙ୍କ ନାମରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ଆଣିଥିଲା।

ଉଲ୍ଲେଖଥାଉ କି, ୨୦୧୯ ଫେବୃୟାରୀରେ ଭାରତରେ ପୁଲଓ୍ବାମା ଆକ୍ରମଣ ପରେ ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ। ଏହି ଘଟଣା ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଥିଲେ ୪୦ରୁ ଅଧିକ ସିଆରପିଏଫ୍‌ ଯବାନ। ସେବେଠାରୁ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ବିଭିନ୍ନ ସୁରକ୍ଷା ସଂସ୍ଥା ଗିରଫ କରିଛି। ଜେଇଏମ୍‌ ଭଳି ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ଆତଙ୍କବାଦୀ ସଂଗଠନ (ଜାମାତ-ଉଦ-ଦାଓ୍ବା)ର ବହୁ ସମ୍ପତ୍ତିକୁ ଜବତ କରାଯାଇଥିବା ପାକିସ୍ତାନ ପକ୍ଷରୁ କୁହାଯାଇଛି।

Share