‘ମୋତେ ଭାରତ ପଠାଇଦିଅ’

ଇସ୍‌ଲାମାବାଦ୍‌, ୧ା୬: ‘ଭଲ ଭାବେ ବଞ୍ଚିବା ପ୍ରତିଶ୍ରୁତି ପାଇ ଦେଶ ବିଭାଜନବେଳେ ଭାରତରୁ ପାକିସ୍ତାନ ଆସିଥିଲି। କିନ୍ତୁ ନିଜ ଘର ମାଫିଆଙ୍କ କବଳରୁ ମୁକୁଳାଇବା ପାଇଁ ୩୫ ବର୍ଷ ହେଲା କୋର୍ଟ ଧାଉଁଛି। ଯଦି ଏହି ଦେଶରେ ମୋତେ ମୋର ଘର ମିଳିପାରିବ ନାହିଁ ତେବେ ଏଠାରେ ରହିବାର କୌଣସି ମାନେ ନାହିଁ। ତେଣୁ ମୋତେ ଭାରତ ପଠାଇ ଦିଆଯାଉ’ ବୋଲି ୩ ଦଶନ୍ଧି ହେଲା ନ୍ୟାୟ ପାଇଁ ଲଢ଼େଇ କରୁଥିବା ଜଣେ ପାକିସ୍ତାନୀ ମହିଳା ମଙ୍ଗଳବାର ଲାହୋର ହାଇକୋର୍ଟଙ୍କୁ କହିଛନ୍ତି।
ଶେହନାଜ୍‌ ବିବିଙ୍କ କହିବା ଅନୁସାରେ, ଏକ ହିନ୍ଦୁ ପରିବାର ଖାଲି କରିଥିବା ୧୩ ମାର୍‌ଲା ଭୂମିକୁ ଜମି ମାଫିଆମାନେ କବ୍‌ଜା କରିନେଇଥିଲେ। ଏହି ମାମଲାକୁ ଶେହନାଜ୍‌ ଚିଫ୍‌ ସେଟେଲମେଣ୍ଟ କମିଶନରଙ୍କ ନିକଟକୁ ନେଇଥିଲେ। ଦସ୍ତାବିଜ୍‌ ଅନୁସାରେ ଉକ୍ତ ଭୂମିକୁ ବେଆଇନ ଭାବେ ଦଖଲ କରାଯାଇଥିବା ଜଣାପଡ଼ିବା ପରେ କମିଶନର ୧୯୬୦ରେ ହୋଇଥିବା ଏହାର ପଞ୍ଜୀକରଣକୁ ରଦ୍ଦ କରିଦେଇଥିଲେ। ପରେ ଶେହନାଜଙ୍କୁ ୫-ମାର୍‌ଲା ଭୂମି ଆବଣ୍ଟନ କରାଯାଇଥିଲା। ଏଥିଯୋଗୁ ମାଫିଆମାନେ ପ୍ରତିଶୋଧ ପରାୟଣ ହୋଇ ସମ୍ପୂର୍ଣ୍ଣ ଜାଗାକୁ କବ୍‌ଜା କରିଛନ୍ତି। ମାମଲାର ଫଇସଲା ପାଇଁ ଅପରପକ୍ଷକୁ ସମନ କରାଯିବ ବୋଲି ମୁଖ୍ୟ ବିଚାରପତି ଅମୀର ଭଟ୍ଟି କହିଛନ୍ତି।

Share