ପାକିସ୍ତାନ ରେସ୍ତୋରାଁରେ ଆଲିଆଙ୍କ ଭିଡିଓ କ୍ଲିପକୁ ନେଇ ଉଠିଲା ବିବାଦ

ମୁମ୍ବାଇ: ପାକିସ୍ତାନର ଏକ ରେସ୍ତୋରାଁରେ ବଲିଉଡ ମୁଭିର ଭିଡିଓ କ୍ଲିପକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଏହି ଘଟଣାକୁ ନେଇ ଉକ୍ତ ରେସ୍ତୋରାଁ ବିବାଦ ଘେରକୁ ଚାଲି ଆସିଛି । ଘଟଣା ହେଲା ପାକିସ୍ତାନ କରାଚିରେ ଥିବା ଏକ ରେସ୍ତୋରାଁ ଆଲିଆ ଭଟ୍ଟଙ୍କ ଅଭିନୀତ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ର ଏକ କ୍ଲିପ ଲଗାଇଛି । ଯେଉଁଥିରେ ଆଲିଆ ଭଟ୍ଟ ପୁରୁଷ ଗ୍ରାହକମାନଙ୍କୁ ଆକର୍ଷିତ କଲାଭଳି କଥା କହୁଛନ୍ତି ଓ ଅଭିନୟ କରୁଛନ୍ତି । କେବଳ ଏତିକି ନୁହେଁ ଏହାର ପୋଷ୍ଟର ସହ ପୁରୁଷ ଗ୍ରାହକଙ୍କୁ ୨୫ ପ୍ରତିଶତ ରିହାତି ଅଫର ବି ଦେଇଛି ଉକ୍ତ ରେସ୍ତୋରାଁ । ସୂଚନା ଅନୁଯାୟୀ, ପାକିସ୍ତାନ କରାଚିରେ ଥିବା ଏକ ସ୍ୱିଙ୍ଗ ରେସ୍ତୋରାଁ ବଲିଉଡ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ର ଏକ ସିନ୍‌କୁ ବ୍ୟବହାର କରି ଗ୍ରାହକଙ୍କୁ ଅଫର ଦେଇଛି । ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।
ସୂଚନାଯୋଗ୍ୟ, ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ରେ ଜଣେ ଦେହଜୀବୀର ଭୂମିକାରେ ନଜର ଆସିଛନ୍ତି । ସମୟକ୍ରମେ ସେ ଏକ ପ୍ରଭାବଶାଳୀ ବେଶ୍ୟାଳୟର ମାଲିକ ହୋଇ ଯାଇଛନ୍ତି । ଆଉ ସେଇଠି ପୁରୁଷ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସେ ହାତରେ ଇସାରା କରୁଛନ୍ତି । ରେସ୍ତୋରାଁଟି ତା’ର ପବ୍ଲିସିଟି ପାଇଁ ଏହି ଭିଡିଓକୁ ବ୍ୟବହାର କରିଥିବା କହିଛି । ହେଲେ ସୋସିଆଲ ସାଇଟରେ ଏହାକୁ ଖୁବ୍ ନିନ୍ଦା କରାଯାଇଛି ।

Share