ନୂଆ ଇତିହାସ ଲେଖିଲେ ପାକିସ୍ତାନ ଖେଳାଳି: ଡେବ୍ୟୁ ମ୍ୟାଚ୍‌ରେ କଲେ କମାଲ୍‌

ରାୱଲପିଣ୍ଡି,୧୩।୧୦:ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିବା ପ୍ରତ୍ୟେକ ଖେଳାଳିଙ୍କ ସ୍ବପ୍ନ। ହେଲେ କିଛି ଖେଳାଳି ନିଜର ପ୍ରଥମ ମ୍ୟାଚ୍‌ରେ ଏମିତି ପ୍ରଦର୍ଶନ କରନ୍ତି, ଯାହା କ୍ରିକେଟ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇଯାଏ। ପାକିସ୍ତାନର ୩୧ ବର୍ଷୀୟ ଦ୍ରୁତ ବୋଲର ସାକିବ ଖାନ ଏବେ ଏମିତି ଏକ ଇତିହାସ ରଚିଛନ୍ତି। ଶ୍ରୀଲଙ୍କା ବିପକ୍ଷ ରାୱଲପିଣ୍ଡି ଟେଷ୍ଟରେ ଡେବ୍ୟୁ କରି ସେ ନିଜର ଘାତକ ବୋଲିଂରେ ଗୋଟିଏ ଇନିଂସରେ ୭ଟି ଉଇକେଟ ନେଇଛନ୍ତି। ତାଙ୍କ ଏହି ପ୍ରଦର୍ଶନ ଏବେ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି।
ଶ୍ରୀଲଙ୍କାର ପ୍ରଥମ ଇନିଂସରେ ସାକିବ ୩୪ ଓଭର ବୋଲିଂ କରି ୧୩୦ ରନ ବ୍ୟୟ କରି ୭ଟି ଉଇକେଟ ହାସଲ କରିଛନ୍ତି। ଏହା ସହ ସେ ଟେଷ୍ଟ ଡେବ୍ୟୁରେ ୭ ଉଇକେଟ ନେବାରେ ପାକିସ୍ତାନର ଚତୁର୍ଥ ବୋଲର ହୋଇଛନ୍ତି। ତାଙ୍କ ପୂର୍ବରୁ ମହମ୍ମଦ ନଜିର, ମହମ୍ମଦ ଜାହିଦ ଓ ଅବରାର ଅହମଦ ଏହି ସଫଳତା ପାଇଥିଲେ।
କେବଳ ସେତିକି ନୁହେଁ, ମହମ୍ମଦ ଜାହିଦଙ୍କ ପରେ ଟେଷ୍ଟ ଡେବ୍ୟୁରେ ୭ ଉଇକେଟ ନେବାରେ ସାକିବ ହେଉଛନ୍ତି ପାକିସ୍ତାନର ଦ୍ୱିତୀୟ ଦ୍ରୁତ ବୋଲର। ଏହାସହ ୩୦ ବର୍ଷ ବା ତା’ଠାରୁ ଅଧିକ ବୟସରେ ଟେଷ୍ଟ ଡେବ୍ୟୁ କରି ଗୋଟିଏ ଇନିଂସରେ ୭ ଉଇକେଟ ନେବାରେ ସେ ବିଶ୍ୱର ପ୍ରଥମ ବୋଲର ହୋଇଛନ୍ତି।

୩୦ ବର୍ଷ ବୟସ ପରେ ଟେଷ୍ଟ ଡେବ୍ୟୁରେ ସର୍ବଶ୍ରେଷ୍ଠ ବୋଲିଂ
-୭/୧୩୦:ସାକିବ ଖାନ ବନାମ ଶ୍ରୀଲଙ୍କା, ୨୦୨୬
-୬/୭:ସ୍କଟ ବୋଲାଣ୍ଡ ବନାମ ଇଂଲଣ୍ଡ, ୨୦୨୧
-୬/୩୬:ବିଲାଲ ଆସିଫ ବନାମ ଅଷ୍ଟ୍ରେଲିଆ, ୨୦୧୮

ଚତୁର୍ଥ ଦିନରେ ସାକିବ ଖାନଙ୍କ ବୋଲିଂର ଅସଲ ଜଲୱା ଦେଖିବାକୁ ମିଳିଥିଲା। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୪୦୪ ରନ୍ରେ ୪ଟି ଉଇକେଟ ହରାଇ ମଜଭୁତ ସ୍ଥିତିରେ ଥିଲା। ଧନଞ୍ଜୟ ଡି ସିଲଭା ୧୬୭ ରନ ଏବଂ ଅଧିନାୟକ କୁସଲ ମେଣ୍ଡିସ ୧୧୭ ରନ କରି ଅପରାଜିତ ଥିଲେ। ଉଭୟଙ୍କ ମଧ୍ୟରେ ପଞ୍ଚମ ୱିକେଟ ପାଇଁ ୨୪୯ ରନ୍ର ବଡ଼ ଭାଗୀଦାରି ହୋଇଥିଲା।
କିନ୍ତୁ ଚତୁର୍ଥ ଦିନର ପ୍ରଥମ ଓଭରରେ ହିଁ ସାକିବ ଧନଞ୍ଜୟ ଡି ସିଲଭାଙ୍କୁ ଉଇକେଟ ପଛରେ କ୍ୟାଚ ଆଉଟ କରାଇ ପାଭିଲିୟନ ପଠାଇଥିଲେ। ଏହାପରେ କୁସଲ ମେଣ୍ଡିସଙ୍କୁ ୧୧୯ ରନ୍‌ରେ ଆଉଟ କରି ଶ୍ରୀଲଙ୍କାକୁ ଆଉ ଏକ ବଡ଼ ଝଟକା ଦେଇଥିଲେ। ଏହାପରେ ସାକିବ ଆଉ ପଛକୁ ଫେରି ଚାହିଁ ନ ଥିଲେ। ସୋନଲ ଦିନୁଷାଙ୍କୁ ୨୦ ରନ୍‌ରେ ଆଉଟ କରି ସେ ନିଜର ୫ ଉଇକେଟ ସଫଳତା ପୂରଣ କରିଥିଲେ। ପରେ ଲାହିରୁ କୁମାରା ଓ ଅସିଥା ଫର୍ଣ୍ଣାଣ୍ଡୋଙ୍କ ଉଇକେଟ ନେଇ ୭ ଉଇକେଟ ପୂରଣ କରିଥିଲେ।

ଏକ ସମୟରେ ୪୦୪ ରନ୍‌ରେ ୪ ଉଇକେଟ ହରାଇ ଦୃଢ଼ ସ୍ଥିତିରେ ଥିବା ଶ୍ରୀଲଙ୍କା ଦଳ ସାକିବଙ୍କ ଘାତକ ବୋଲିଂ ଆଗରେ ମାତ୍ର ୪୨ ରନ ଭିତରେ ଶେଷ ୬ଟି ୱିକେଟ ହରାଇଥିଲା। ଫଳରେ ପୂରା ଦଳ ୪୪୬ ରନ୍‌ରେ ଅଲଆଉଟ ହୋଇଥିଲା। ମ୍ୟାଚ୍‌ରେ ପାକିସ୍ତାନ ନିଜର ପ୍ରଥମ ଇନିଂସକୁ ୯ ଉଇକେଟ୍‌ରେ ୪୩୪ ରନ କରି ଘୋଷଣା କରିଥିଲା। ଜବାବରେ ଶ୍ରୀଲଙ୍କା ୪୪୬ ରନ କରି ୧୨ ରନ୍‌ର ଅଗ୍ରଣୀ ହାସଲ କରିଥିଲା।

ଦ୍ୱିତୀୟ ଇନିଂସରେ ପାକିସ୍ତାନ ଗୋଟିଏ ଉଇକେଟ ହରାଇ ୫୭ ରନ କରିଥିଲା। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ପାକିସ୍ତାନ ମୋଟ ୪୫ ରନ୍‌ରେ ଆଗୁଆ ରହିଥିଲା। ଏବେ ସମସ୍ତଙ୍କ ନଜର ପଞ୍ଚମ ତଥା ଶେଷ ଦିନର ଖେଳ ଉପରେ ରହିଛି। ତେବେ ସାକିବ ଖାନଙ୍କ ଐତିହାସିକ ଡେବ୍ୟୁ ଏହି ଟେଷ୍ଟ ମ୍ୟାଚକୁ ସ୍ମରଣୀୟ କରିଦେଇଛି।

Dharitri – Odisha’s No.1 Odia Daily

 

 

Share