ଏସ୍‌ସିଓ ବୈଠକ: ଭାରତ ଆସିବେ ପାକିସ୍ତାନ ମନ୍ତ୍ରୀ

ଇସ୍‌ଲାମାବାଦ,୧୫ା୧୧(ପି.ଟି): ଭାରତରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସିଭିଲାଇଜେଶନାଲ ଡାଏଲଗ ବୈଠକରେ ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ ମଲିକ ଅଂଶଗ୍ରହଣ କରିବେ ବୋଲି ଇସ୍‌ଲାମାବାଦ ଶନିବାର ଘୋଷଣା କରିଛି। ଏସ୍‌ସିଓ ଦେଶଗୁଡ଼ିକର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତା ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ସମସ୍ତ ଏସ୍‌ସିଓ ସଦସ୍ୟ ରାଷ୍ଟ୍ରଙ୍କୁ ନିମନ୍ତ୍ରଣ ପଠାଯାଇଥିବା ନେଇ ଭାରତ ଅକ୍ଟୋବର ୨୮ରେ ଘୋଷଣା କରିଥିଲା। ମୁସାଦିକ ପାକ୍‌ ସରକାରଙ୍କ ଆନୁଷ୍ଠାନିକ ମତ ରଖିବା ପାଇଁ ନିୟମିତ ଭାବେ ଟକ୍‌ ଶୋ’ଗୁଡ଼ିକରେ ନଜର ଆସନ୍ତି। ଭାରତ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କର ଅଂଶଗ୍ରହଣ ଦର୍ଶାଉଛି ଯେ, ଆସନ୍ତା ବର୍ଷ ଇସଲାମାବାଦରେ ଅନୁଷ୍ଠିତ ହେବାକୁ ଥିବା ଏସ୍‌ସିଓ ଶିଖର ସମ୍ମିଳନୀରେ ଭାରତୀୟ ନେତୃତ୍ୱଙ୍କ ଅଂଶଗ୍ରହଣ ପାଇଁ ପଥ ପରିଷ୍କାର କରିବାକୁ ପାକିସ୍ତାନ ଭାରତ ସହ ଉତ୍ତେଜନା ହ୍ରାସ କରିବାକୁ ଚାହୁଁଛି। ଏସ୍‌ସିଓ ହେଉଛି ଏକ ୟୁରେସିଆନ ରାଜନୈତିକ, ଅର୍ଥନୈତିକ ଏବଂ ସୁରକ୍ଷା ଆନ୍ତଃସରକାରୀ ଗୋଷ୍ଠୀ। ଏଥିରେ ଭାରତ, ଚାଇନା, ରୁଷିଆ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ, ଇରାନ, ଉଜ୍‌ବେକିସ୍ତାନ, ପାକିସ୍ତାନ ଏବଂ ବେଲାରୁଷ ସାମିଲ ଅଛନ୍ତି।

Share