୧୦ ବର୍ଷ ପରେ ଭାରତରେ ରିଲିଜ ହେବ ପାକିସ୍ତାନୀ ଫିଲ୍ମ…

ମୁମ୍ବାଇ : ଚଳିତ ବର୍ଷ ପାକିସ୍ତାନୀ ଚଳଚ୍ଚିତ୍ର ‘ଦ ଲିଜାଣ୍ଡ ମୌଲା ଜଟ୍ଟ’ ବିଶ୍ୱର ବକ୍ସ ଅଫିସରେ ବିପୁଳ ପରିମାଣର ଆୟ କରିଛି। ଏହି ଫିଲ୍ମ କେବଳ ପାକିସ୍ତାନ ନୁହେଁ ବିଦେଶରେ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। ଅତୀତରେ ଏପରି ଆଲୋଚନା ହୋଇଥିଲା ଯେ ଫିଲ୍ମ ‘ଦ ଲିଜାଣ୍ଡ ମୌଲା ଜଟ୍ଟ’ ଭାରତରେ ମୁକ୍ତିଲାଭ କରିପାରିବ। ଏହା ପରେ ମହାରାଷ୍ଟ୍ର ନବନିର୍ମାଣ ସେନା ପାର୍ଟି ନେତା ଅମେୟ ଖୋପକର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଯିଏ ଭାରତରେ ପାକିସ୍ତାନୀ ଚଳଚ୍ଚିତ୍ର ’‘ଦ ଲିଜାଣ୍ଡ ମୌଲା ଜଟ୍ଟ’ ଦେଖିବ ସେ ଦେଶଦ୍ରୋହୀ ହେବ।

କିନ୍ତୁ ବର୍ତ୍ତମାନ ଏହି ପାକିସ୍ତାନୀ ଚଳଚ୍ଚିତ୍ରକୁ ଭାରତରେ ରିଲିଜ କରିବାକୁ ନିଷ୍ପତ୍ତି ନିଆଯାଇଛି। ଥିଏଟର ଚେନ ଆଏନକ୍ସର ଅଧିକାରୀ ଏହି ସୂଚନା ଦେଇଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ଆଇନକ୍ସ ଲିଜର ଲିମିଟେଡର ମୁଖ୍ୟ କାର୍ଯ୍ୟକ୍ରମ ଅଧିକାରୀ ରାଜେନ୍ଦ୍ର ସିଂ ଜ୍ୱାଲା କହିଛନ୍ତି ଯେ ଏହି ଚଳଚ୍ଚିତ୍ର ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହା ଆଶ୍ଚର୍ଯ୍ୟଜନକ ଯେ ୧୦ ବର୍ଷ ପରେ ଭାରତରେ ଏକ ପାକିସ୍ତାନୀ ଚଳଚ୍ଚିତ୍ର ରିଲିଜ ହେବାକୁ ଯାଉଛି ।

ଭାରତରେ ‘ଦ ଲିଜାଣ୍ଡ ମୌଲା ଜଟ୍ଟ’ ରିଲିଜ ସମ୍ପର୍କରେ ରାଜେନ୍ଦ୍ର ସିଂ କହିଛନ୍ତି ଯେ ପଞ୍ଜାବ ଏବଂ ଦିଲ୍ଲୀର କିଛି ସିନେମା ହଲରେ ଏହି ଚଳଚ୍ଚିତ୍ର ଆଏନକ୍ସରେ ପ୍ରଦର୍ଶିତ ହେବ ଯେଉଁଠାରେ ପଞ୍ଜାବୀ ଭାଷାଭାଷୀ ଲୋକ ଅଛନ୍ତି। ‘ଦ ଲିଜାଣ୍ଡ ମୌଲା ଜଟ୍ଟ’ ଚଳିତ ବର୍ଷ ଅକ୍ଟୋବର ୧୩ରେ ପାକିସ୍ତାନୀରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ନିଜ ଦେଶରେ ୨୦୦କୋଟିରୁ ଅଧିକ ଆୟ କରିଛି। ଏହି ଚଳଚ୍ଚିତ୍ରରେ ଫୱାଦ ଖାନ ଏବଂ ମାହିରା ଖାନ ମୁଖ୍ୟ ଭୂମିକାରେ ଅଛନ୍ତି। ଏମାନଙ୍କ ବ୍ୟତୀତ ହାମଜା ଅବ୍ବାସି, ହୁମୈମା ମଲିକ, ଗୋହର ରସିଦ, ଶାମୁନ ଅବ୍ବାସି, ଅଲି ଆଜମତ ଏବଂ ଅଦନାନ ଜାଫର ମଧ୍ୟ ଅଭିନୟ କରିଛନ୍ତି।

Share