Categories: ଜାତୀୟ

ଏଲ୍‌ଓସିରେ ପାକିସ୍ତାନୀ ଡ୍ରୋନ୍‌…

ଶ୍ରୀନଗର, ୯।୬ : ଜମ୍ମୁ-କଶ୍ମୀରରେ ଗୁରୁବାର ଭୋର୍‌ ପ୍ରାୟ ୪ଟା ୧୫ ସମୟରେ ଏଲ୍‌ଓସିର ଜମ୍ମୁ ଡିଭିଜନର ଆର୍ନିଆ ସେକ୍ଟରରେ ଏକ ପାକିସ୍ତାନୀ ଡ୍ରୋନ ଆକାଶ ମାର୍ଗରେ ଉଡ଼ିବୁଲୁଥିବାର ଦେଖାଦେଇଛି। ଏହି ଡ୍ରୋନ ପାକିସ୍ତାନ ପାର୍ଶ୍ୱରୁ ଆସିଥିଲା। ଡ୍ରୋନର ଆଲୋକ ଦେଖି ବିଏସଏଫ କର୍ମଚାରୀମାନେ ସତର୍କ ସୂଚନା ଜାରି କରିଥିଲେ। ଅନେକ ରାଉଣ୍ଡ ଗୁଳି ଚଳାଇବା ପରେ ଡ୍ରୋନଟି ଫେରି ଯାଇଥିଲା। ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ରଣନୀତିର ଏକ ଅଂଶ ଭାବରେ ଡ୍ରୋନ ମାଧ୍ୟମରେ ପାକିସ୍ତାନ ସୀମା ଅଞ୍ଚଳକୁ ଇମ୍ପ୍ରୋଭାଇଜଡ ବିସ୍ଫୋରକ ଡିଭାଇସ୍‌ (ଆଇଇଡି) ପଠାଉଛି। ଯାହା ମୁଖ୍ୟତଃ ଜାତୀୟ ରାଜପଥ ନିକଟରେ ପକାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଆତଙ୍କବାଦୀଙ୍କ ପାଇଁ କାର୍ଯ୍ୟ କରୁଥିବା ସହାୟକମାନଙ୍କ ନିକଟରେ ଆଇଇଡି ସହଜରେ ପହଞ୍ଚିପାରିବ। ଗତ କିଛି ଦିନ ହେବ ସୀମାନ୍ତ ଅଞ୍ଚଳରେ ଡ୍ରୋନ ଉଡ଼ି ବୁଲିବାର ବହୁ ଘଟଣା ଘଟିଛି।

ମଙ୍ଗଳବାର କାନାଚାକ ଅଞ୍ଚଳରେ ଜମ୍ମୁ-ପୁଞ୍ଚ ରାଜପଥର ଅଖନୋର ନିକଟରୁ ଏଭଳି ଆଇଇଡି ଜବତ କରାଯାଇଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସୀମା ପାର୍‌ କରାଯାଇ ଆଇଇଡିକୁ ଡ୍ରୋନ୍‌ ଦ୍ୱାରା ଜାତୀୟ ରାଜପଥ ନିକଟବର୍ତ୍ତୀ ଅଞ୍ଚଳରେ ପକାଇ ଦିଆଯାଉଛି। ଯାହା ଦ୍ୱାରା ଏହାକୁ ସଂଗ୍ରହ କରିବାକୁ ଆସୁଥିବା ସହାୟକମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଯଦି କୌଣସି ସ୍ଥାନରେ ସୁରକ୍ଷାକର୍ମୀଙ୍କ ହାତରେ ପଡ଼ିବାର ପରିସ୍ଥିତି ଥାଏ, ତେବେ ଏଥିରୁ ସେମାନେ ରକ୍ଷା ପାଇବା ସହଜ ହୋଇଥାଏ। ଜାତୀୟ ରାଜପଥରେ ଯାନବାହାନ ସଂଖ୍ୟା ଅଧିକ ଥିବାରୁ ଏଠାରେ ସହାୟକଙ୍କୁ ଚିହ୍ନିବା କଷ୍ଟକର ହୋଇଥାଏ।

Share