Categories: ଖେଳ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶରୀରକୁ ନେଇ ପ୍ରଶ୍ନ ଉଠାଇଲେ ପାକିସ୍ତାନ କ୍ରିକେଟର୍‌

ଇସଲମାବାଦ,୨୪।୮:ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନ ଧରି ପିଠି ଯନ୍ତ୍ରଣା ସହ ସଂଗ୍ରାମ କରିଆସୁଛନ୍ତି। ଯଦିଓ ସେ ଶ୍ରୀଲଙ୍କା ଗସ୍ତରେ କିଛି ଓଭର ବୋଲିଂ କରିଥିଲେ ମଧ୍ୟ ସେ ନିଜର ସ୍ପେଲ୍‌ ପୂରଣ କରିପାରି ନ ଥିଲେ। ଏଭଳି ପରିସ୍ଥିତିରେ ସେ ଟି -୨୦ ବିଶ୍ୱକପକୁ ନେଇ ଟିମ ଇଣ୍ଡିଆର ଚିନ୍ତାର ବିଷୟ ପାଲଟିଛନ୍ତି। ତେବେ ଶ୍ରୀଲଙ୍କା ଗସ୍ତରେ ବୋଲିଂ ପ୍ରଶିକ୍ଷକ ଥିବା ପରାସ ମହମ୍ବ୍ରି କହିଛନ୍ତି ଯେ, ବିଶ୍ୱକପ ପର୍ଯ୍ୟନ୍ତ ବୋଲିଂ କରିବାକୁ ସେ ସମ୍ପୂର୍ଣ୍ଣ ଫିଟ ହେବେ।
ଏହି ସମୟରେ ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପରାମର୍ଶ ଦେଇଛନ୍ତି। ସେ ପାଣ୍ଡ୍ୟାଙ୍କ ପ୍ରକୃତ ସମସ୍ୟା ବିଷୟରେ ମଧ୍ୟ କହିଥିଲେ। ସଲମାନ ବଟ କହିଛନ୍ତି ଯେ, ପାଣ୍ଡ୍ୟାଙ୍କ ପ୍ରକୃତ ସମସ୍ୟା ହେଉଛି ସେ ଅତ୍ୟଧିକ ପତଳା ଏବଂ ଆଘାତରୁ ସୁସ୍ଥ ହେବା ପରେ ତାଙ୍କ ବୋଲିଂ ଅତିରିକ୍ତ ଭାର ନେବା ପାଇଁ ତାଙ୍କ ଶରୀର ପ୍ରସ୍ତୁତ ନୁହେଁ। ପାଣ୍ଡ୍ୟା ମାଂସପେଶୀକୁ ମଜବୁତ କରିବା ଉପରେ ଧ୍ୟାନ ଦେବା ଉଚିତ୍‌। ସେ କହିଛନ୍ତି ଯେ ଯଦି ପାଣ୍ଡ୍ୟାଙ୍କୁ ଅଧିକ ଭାର ଦିଆଯାଏ ତେବେ ସେ ଆହତ ହେବେ। ହାର୍ଦ୍ଦିକଙ୍କ ବୋଲିଂ ଆକ୍ସନ ବହୁତ ଭଲ, କିନ୍ତୁ ତାଙ୍କ ଶରୀର ଅଧିକ ଓଜନ ସମ୍ଭାଳି ପାରିବ ନାହିଁ । କପିଲ ଦେବ ଏବଂ ଇମ୍ରାନ ଖାନଙ୍କ ଉଦାହରଣ ଦେଇ ପାକିସ୍ତାନର ପୂର୍ବତନ ଅଧିନାୟକ ବଟ୍ଟ କହିଛନ୍ତି ଯେ ପାଣ୍ଡ୍ୟାଙ୍କ ଅପେକ୍ଷା ଦୁହେଁ ଅଧିକ ଫିଟ ଥିଲେ।

Share