ଧୋନୀଙ୍କ ଅବସରକୁ ନେଇ ଚାଞ୍ଚଲ୍ୟକର ବୟାନ୍‌ ଦେଲେ ପାକିସ୍ତାନ କ୍ରିକେଟର୍‌: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୮।୧୧:ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ଡ୍ରେସିଂ ରୁମ୍‌ରେ ମେଣ୍ଟର ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ଉପସ୍ଥିତି ଯୁବ କ୍ରିକେଟରଙ୍କ ପାଇଁ ବେଶ ଲାଭଦାୟକ ହେବ। ଏପରି ମତ ରଖିଛନ୍ତି ପାକିସ୍ତାନର ପୂର୍ବତନ ଉଇକେଟକିପର-ବ୍ୟାଟର ରଶିଦ ଲତିଫ। ଧୋନୀଙ୍କ ଅଭିଜ୍ଞତା ଓ ମାର୍ଗଦର୍ଶନ କେବଳ ଚେନ୍ନାଇ ଟିମ୍‌ରେ ସୀମିତ ରହିବ ନାହିଁ, ବରଂ ତାଙ୍କ ସହ କାମ କରୁଥିବା ଯୁବ ଖେଳାଳି ଭବିଷ୍ୟତରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମଧ୍ୟ ଏହାର ଫାଇଦା ପାଇବେ ବୋଲି ସେ କହିଛନ୍ତି।

ଆଇପିଏଲ୍‌ରୁ ଖେଳାଳି ଭାବେ ଅବସର ନେଇଥିବା ଧୋନୀ ୨୦୨୭ ସିଜିନ୍‌ରୁ CSK ସହ ମେଣ୍ଟର ଭାବେ ନୂଆ ଭୂମିକାରେ ନଜର ଆସିବେ। ଭାରତୀୟ କ୍ରିକେଟ ପ୍ରତି ଧୋନୀଙ୍କ ଅବଦାନକୁ ପ୍ରଶଂସା କରି ଲତିଫ କହିଛନ୍ତି ଯେ, ନିଜର ସଫଳ କ୍ୟାରିୟର ମଧ୍ୟରେ ଧୋନୀ ଅନେକ ଖେଳାଳିଙ୍କୁ ପ୍ରେରଣା ଦେଇଛନ୍ତି। ଧୋନୀ ଜଣେ ସଫଳ ଅଧିନାୟକ ଥିଲେ। ସେ ପ୍ରସିଦ୍ଧ ୭ ନମ୍ବର ଜର୍ସି ପିନ୍ଧିବା ସହ ଚେନ୍ନାଇର ପରିଚିତ ହଳଦିଆ ଜର୍ସିର ପ୍ରତିନିଧିତ୍ୱ କରିଛନ୍ତି। ଯଦିଓ ସେ ଆଉ ପଡ଼ିଆରେ ଖେଳିବେ ନାହିଁ, ତଥାପି ଚେପକ ଷ୍ଟାଡିୟମର ପରିବେଶ ତାଙ୍କ ଖେଳିବା ସମୟ ଭଳି ରହିବ ବୋଲି ମୋର ବିଶ୍ୱାସ। ମେଣ୍ଟର ଭାବେ ତାଙ୍କ ଉପସ୍ଥିତି ଆଗାମୀ ପିଢ଼ିର ଖେଳାଳିଙ୍କ ପାଇଁ ବେଶ ଉପକାରୀ ହେବ।

ଭାରତୀୟ କ୍ରିକେଟ୍‌ରେ ଧୋନୀଙ୍କ ଦୀର୍ଘଦିନର ପ୍ରଭାବ ଏବଂ CSK ସହ ତାଙ୍କର ନିବିଡ଼ ସମ୍ପର୍କ ସମ୍ପର୍କରେ ମଧ୍ୟ ଲତିଫ ମତ ରଖିଛନ୍ତି। ଧୋନୀ ଦୀର୍ଘବର୍ଷ ଧରି ଭାରତୀୟ କ୍ରିକେଟରେ ନିଜର ଦବଦବା ବଜାୟ ରଖିଥିଲେ। CSK ପାଇଁ ଖେଳି ଅନେକ ଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ।

ଲତିଫ କହିଛନ୍ତି, ଧୋନୀ ବର୍ଷ ବର୍ଷ ଧରି ଭାରତୀୟ କ୍ରିକେଟ୍‌ରେ ରାଜ କରିଛନ୍ତି। ସେ CSKର ଜଣେ ପ୍ରମୁଖ ଖେଳାଳି ଥିଲେ ଏବଂ ତାଙ୍କଠାରୁ ଅନେକ ଖେଳାଳି ପ୍ରେରଣା ପାଇଛନ୍ତି। ସେ ଜଣେ ମହାନ ଖେଳାଳି ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଏବେ ଡ୍ରେସିଂ ରୁମ୍‌ରେ ରହି ସେ ଭାରତୀୟ ଏବଂ ଅନ୍ତର୍ଜାତୀୟ କ୍ରିକେଟକୁ ଆହୁରି ଅଧିକ ଲାଭ ପହଞ୍ଚାଇ ପାରିବେ। ଏଠାକୁ ପାକିସ୍ତାନକୁ ଛାଡ଼ି ଅନ୍ୟ ସମସ୍ତ ଦେଶର ଖେଳାଳି ଆସନ୍ତି। ସେଥିପାଇଁ ମୁଁ ଅନ୍ତର୍ଜାତୀୟ କ୍ରିକେଟ କଥା କହୁଛି। ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଆମର ଶୁଭେଚ୍ଛା ରହିଛି। ସେ ଜଣେ ପ୍ରକୃତ ଭାରତୀୟ ଖେଳାଳି।

ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ୫ ଥର ଆଇପିଏଲ ଟ୍ରଫି ଜିତିଛି। ସେ ୨୦୦ରୁ ଅଧିକ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଛନ୍ତି। ଆଇପିଏଲ୍‌ରେ କୌଣସି ଫ୍ରାଞ୍ଚାଇଜି ପାଇଁ ୨୦୦ରୁ ଅଧିକ ମ୍ୟାଚ୍‌ରେ ଅଧିନାୟକତ୍ୱ କରିବାରେ ସେ ପ୍ରଥମ ଖେଳାଳି ହୋଇଥିଲେ। CSK ସହ ତାଙ୍କର ଅଧିକାଂଶ କ୍ୟାରିୟରରେ ଧୋନୀ ହିଁ ଦଳର ଅଧିନାୟକ ଥିଲେ। ୨୦୨୨ ସିଜିନ୍‌ରେ କିଛି ସମୟ ପାଇଁ ରବୀନ୍ଦ୍ର ଜାଡେଜା ଅଧିନାୟକ ଦାୟିତ୍ୱ ନେଇଥିଲେ। ପରେ ପୁଣି ଧୋନୀ ଦଳର ନେତୃତ୍ୱ ନେଇଥିଲେ। ୨୦୨୪ରେ ସେ ଋତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିଥିଲେ।

ଅଧିନାୟକତ୍ୱ ସହ ବ୍ୟାଟର ଭାବେ ମଧ୍ୟ ଧୋନୀ CSK ପାଇଁ ଅନେକ ଅବଦାନ ରଖିଛନ୍ତି। ଏହି ଫ୍ରାଞ୍ଚାଇଜି ପାଇଁ ସେ ୫,୩୧୪ ରନ ସଂଗ୍ରହ କରିଛନ୍ତି ଏବଂ ଦଳ ପକ୍ଷରୁ ସର୍ବାଧିକ ରନ ସଂଗ୍ରହକାରୀଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ୨୭୨ଟି ମ୍ୟାଚ ଖେଳି ସେ CSKର ସବୁଠାରୁ ଅଭିଜ୍ଞ ଖେଳାଳି ଭାବେ ରେକର୍ଡ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share