Categories: ଜାତୀୟ

‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୨୫ ।୯: ରାଷ୍ଟ୍ରୀୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ନେତୃତ୍ୱରେ ଗୁରୁବାର ୧୫ ରାଜ୍ୟରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ)ର କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ପ୍ରାୟ ୧୦୬ ଜଣଙ୍କୁ ଅଟକ ରଖାଯାଇଥିଲା । ପିଏଫଆଇ କର୍ମୀ ଏହାର ବିରୋଧରେ ଶୁକ୍ରବାର ମହାରାଷ୍ଟ୍ରର ପୁଣେ ସହରର ଜିଲା କଲେକ୍ଟରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସମୟରେ ପ୍ରଦର୍ଶନକାରୀ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିଲେ ।
ପିଏଫଆଇ କର୍ମୀଙ୍କ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ କହୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ହେଲେ ସେତେବେଳେ ସେଠାରେ ବହୁ ଜନଗହଳି ଓ କୋଳାହଳ ଥିବାରୁ ଏହା ସ୍ପଷ୍ଟ ଶୁଣାଯାଉ ନାହିଁ । କିନ୍ତୁ ସେଠାରେ ଥିବା ଖବରଦାତାମାନେ ଏହା ସତ୍ୟ ବୋଲି କହିଛନ୍ତି । ପିଏଫଆଇର କେତେଜଣ ସଦସ୍ୟକୁ ପୁଣେ ପୋଲିସ ଅଟକ ରଖିଥିବା ବେଳେ ରବିବାର ସକାଳେ ସେମାନଙ୍କୁ ଗିରଫ କରାଯାଇଛି । ପୋଲିସ ଏମାନଙ୍କ ବିରୋଧରେ ମାମଲା ବି ଦାୟର କରିଛି ।
ଏହି ଘଟଣାକୁ ନେଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନଭିଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ କହିଛନ୍ତି ମହାରାଷ୍ଟ୍ରରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଉଥିବା ଯେ କୌଣସି ବ୍ୟକ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ନୀତେଶ ରାଣା ଏମିତି ସ୍ଲୋଗାନ ଦେଉଥିବା ବ୍ୟକ୍ତିଙ୍କୁ ଚେତାବନୀ ଦେଇଛନ୍ତି । ଏହାସହ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ।

Share