Categories: ଜାତୀୟ

ପ୍ରତିଦିନ ୧୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ

ନୂଆଦିଲ୍ଲୀ, ୧।୯: ଭାରତ ପାକିସ୍ତାନ ସୀମାରେ ଉତ୍ତେଜନା ବଢିବାରେ ଲାଗିଛି। ୨୦୨୦ର ପ୍ରଥମ ସାତ ମାସ ମଧ୍ୟରେ ପାକିସ୍ତାନ ୨ ହଜାର ୯୫୨ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଜୁଲାଇ ମାସ ମଧ୍ୟରେ ପାକିସ୍ତାନ ପ୍ରତି ଦିନ ହାରାହାରି ୧୩.୮୯ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାଠାରେ ହୋଇଥିବା ଏହି ଅସ୍ତ୍ରବିରତି ଉଲ୍ଲଂଘନରେ ୮ ଜଣ ସୁରକ୍ଷାକର୍ମୀ ଶହୀଦ୍‌ ହୋଇଥିବାବେଳେ ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ ୬୨ ସୁରକ୍ଷାକର୍ମୀ ଆହତ ହୋଇଥିବାବେଳେ ୩୮ ଜଣ ସାଧାରଣ ଲୋକ ଆହତ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏସମ୍ପର୍କରେ ସୂଚନା ଅଧିକାର ଆଇନ ଅନ୍ତର୍ଗତ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମିଳିଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି। ସୂଚନା ଅଧିକାର କର୍ମୀ ରମଣ ଶର୍ମାଙ୍କ ପକ୍ଷରୁ ଏନେଇ ଉତ୍ତର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଠାରୁ ଲୋଡ଼ା ଯାଇଥିଲା। ଗତ ୨ ବର୍ଷ ୭ ମାସ ମଧ୍ୟରେ ପାକିସ୍ତାନ ୮ ହଜାର ୫୭୧ଥର ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ଏହି ସମୟ ମଧ୍ୟରେ ୫୬ ସୁରକ୍ଷାକର୍ମୀ ଶହୀଦ୍‌ ହୋଇଛନ୍ତି। ସେହିପରି ୬୩ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୬୦୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩୦୦ ସୁରକ୍ଷାକର୍ମୀ ରହିଛନ୍ତି। ୨୦୧୮ରେ ପାକିସ୍ତାନ ୨ ହଜାର ୧୪୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ସେହିପରି ୨୦୧୯ରେ ୩ ହଜାର ୪୮୯ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ରିପୋର୍ଟରେ ଦର୍ଶାଯାଇଛି।

Share