ମହିଳା ଟିଭି ଆଙ୍କରଙ୍କୁ ଗୁଳି କରି ହତ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୯।୧୧: ପାକିସ୍ତାନର ରାୱଲପିଣ୍ଡିରେ ଜଣେ ମହିଳା ଟିଭି ଆଙ୍କରଙ୍କୁ ତାଙ୍କ ଘରେ ଗୁଳି କରି ହତ୍ୟା କରାଯାଇଛି । ମୃତକ ହେଲେ ରାବିଆ ଅହସାନ। ସେ ଏକ ସ୍ଥାନୀୟ ଘରୋଇ ଟିଭି ଚ୍ୟାନେଲରେ ଆଙ୍କର ଓ କାର୍ଯ୍ୟକ୍ରମ ଉପସ୍ଥାପିକା ଭାବେ କାମ କରୁଥିଲେ । ରବିବାର ସହରର ଗୁଲଶନବାଦ ଅଞ୍ଚଳରେ ଏହି ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ରାବିଆଙ୍କ ସ୍ୱାମୀଙ୍କୁ ଅଟକ ରଖିବା ସହ ଏକ ସନ୍ଦିଗ୍ଧ ବନ୍ଧୁକ ଜବତ କରିଛି । ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

ରିପୋର୍ଟ ଅନୁସାରେ, ସିଟି ପୁଲିସ ଅଫିସର (ସିପିଓ) ହସନ ମୁସ୍ତାକ ସୁଖେରା କହିଛନ୍ତି ଯେ, ରାବିଆଙ୍କ ସ୍ୱାମୀଙ୍କୁ ଅଟକ ରଖାଯାଇଛି ଏବଂ ଏକ ସନ୍ଦିଗ୍ଧ ବନ୍ଧୁକ ଜବତ କରାଯାଇଛି। ତଦନ୍ତ ପାଇଁ ସିପିଓ, ଏସ୍‌ଏସ୍‌ପି ଅପରେସନ୍ସ ଓ ଏସ୍‌ଏସ୍‌ପି ଇନଭେଷ୍ଟିଗେସନ୍ସଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହି ସମୟରେ ଫରେନ୍ସିକ୍ ବିଶେଷଜ୍ଞଙ୍କ ଟିମ୍‌ ମଧ୍ୟ ଉପସ୍ଥିତ ଥିଲା। ପଞ୍ଜାବ ଫରେନ୍ସିକ୍ ସାଇନ୍ସ ଏଜେନ୍ସି (PFSA)ର ଟିମ୍‌ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରୁଛି। ଅନ୍ୟପଟେ ମୃତଦେହକୁ ପୋଷ୍ଟମର୍ଟମ୍‌ ପାଇଁ ହସ୍ପିଟାଲ ପଠାଯାଇଛି।

ପୋଲିସ ସୂଚନା ଅନୁସାରେ, ଘରେ କାମ କରୁଥିବା ଜଣେ ପୁରୁଷ କର୍ମଚାରୀ କହିଛନ୍ତି ଯେ, ରାବିଆଙ୍କ ସ୍ୱାମୀ ଗୁଳିଟି ଭୁଲବଶତଃ ଚାଲିଯାଇଥିବା ଦାବି କରିଥିଲେ । ତେବେ ଏହି ଦାବିର ସତ୍ୟତା ଓ ଘଟଣାର ଅନ୍ୟାନ୍ୟ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି। ମାମଲା ରୁଜୁ ପ୍ରକ୍ରିୟା ଜାରି ରହିଥିବା ବେଳେ ତଦନ୍ତ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି।

ରାବିଆ ଅହସାନଙ୍କ ହତ୍ୟା ଘଟଣାକୁ ନେଇ ପାକିସ୍ତାନର ଫାର୍ଷ୍ଟ ଲେଡି ଆସିଫା ଭୁଟ୍ଟୋ-ଜର୍ଦାରୀ ଶୋକ ପ୍ରକାଶ କରିବା ସହ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି । ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତି ଅନୁସାରେ, ଘଟଣାର ସମ୍ପୂର୍ଣ୍ଣ, ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ଯାହାଦ୍ୱାରା ହତ୍ୟା ପଛର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବା ସହ ଦୋଷୀଙ୍କୁ ଉତ୍ତରଦାୟୀ କରାଯାଇପାରିବ।

 

Dharitri – Odisha’s No.1 Odia Daily

Share