ମାର୍ଶଲ ଲ’ ମୁହାଁ ପାକିସ୍ତାନ…

ଇସଲାମାବାଦ,୩୦।୧୦ : ଗତ କିଛି ମାସ ଧରି ପାକିସ୍ତାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି ସମୟରେ ଦେଶରେ ରାଜନୈତିକ ବିଶୃଙ୍ଖଳା ଦେଶର ସମସ୍ୟାକୁ ବଢ଼ାଇ ଦେଇଛି। ଏକ ରିପୋର୍ଟରେ ଆଗାମୀ ଦିନରେ ପାକିସ୍ତାନରେ ମାର୍ଶଲ ଲ’(ସାମରିକ ଆଇନ) କାର୍ଯ୍ୟକାରୀ ହେବାର ଆଶଙ୍କା ଥିବା ନେଇ ଦାବି କରାଯାଇଛି। କୁହାଯାଇଛି ଯେ ଆସନ୍ତା ୬ ମାସ କିମ୍ବା ତା’ଠାରୁ କମ ସମୟ ମଧ୍ୟରେ ସାମରିକ ଆଇନ ଲାଗୁ ହୋଇପାରେ।

ପାକିସ୍ତାନର ସାପ୍ତାହିକ ଖବର କାଗଜ ଦ ଫ୍ରାଇଡେ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ ସାମରିକ ଆଇନ ନେଇ ଆଶଙ୍କା ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ ବେଳେବେଳେ ପରିସ୍ଥିତି ଉପୁଜେ ଯେତେବେଳେ ଅରାଜକତା ଏବଂ ଶାସନ ମଧ୍ୟରେ ଏକମାତ୍ର ବିକଳ୍ପ ବାକି ରହିଥାଏ। ଏହି ପରିସ୍ଥିତିରେ ସେନା ଶାସନ କ୍ଷେତ୍ରରେ ପାଦ ଦେଇଥାଏ। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସାମରିକ ଆଇନ ମୁହାଁ ହେବାରେ ଲାଗିଛି।

ରିପୋର୍ଟରେ କରାଯାଇଥିବା ବିଶ୍ଳେଷଣ ଅନୁଯାୟୀ, ୨୦୧୮ ରେ ଇମ୍ରାନ ଖାନ ସଚ୍ଚୋଟତା ଏବଂ ସ୍ବଚ୍ଛତା ଆଧାରରେ ପାକିସ୍ତାନରେ କ୍ଷମତାକୁ ଆସିଥିଲେ। ତେବେ, ଏପ୍ରିଲ ୨୦୨୨ ରେ ତାଙ୍କୁ କ୍ଷମତାଚ୍ୟୁତ ହେବାକୁ ପଡିଲା। ଏହାର ମୁଖ୍ୟ କାରଣ ହେଉଛି ଦେଶରେ ବ୍ୟାପିଥିବା ଆର୍ଥିକ ଅସ୍ଥିରତା। ଆକାଶଛୁଆଁ ମୁଦ୍ରାସ୍ଫୀତି ଏବଂ ମୌଳିକ ସୁବିଧା ସହିତ ସଂଘର୍ଷ କରୁଥିବା ଲୋକମାନେ ତାଙ୍କ ଉପରେ ଆତ୍ମବିଶ୍ୱାସ ହରାଇବା ଏହାର ମୁଖ୍ୟ କାରଣ ଥିଲା। ତେବେ ନୂତନ ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ସ୍ଥିତି ସମାନ ରହିଥିଲା ଏବଂ ପାକିସ୍ତାନରେ ବିପର୍ଯ୍ୟସ୍ତ ବନ୍ୟା ପରିସ୍ଥିତି ସଙ୍କଟକୁ ଆହୁରି ବଢ଼ାଇ ଦେଇଥିଲା।

ରିପୋର୍ଟରେ କୁହାଯାଇଛି ଯେ କ୍ଷମତାଚ୍ୟୁତ ହେବା ପରେ ମଧ୍ୟ ଇମ୍ରାନ ଖାନଙ୍କ ପ୍ରତି ଜନସାଧାରଣଙ୍କ ସମର୍ଥନ ରହିଛି। ସମ୍ପ୍ରତି ସଂସଦର ହୋଇଥିବା ଉପ-ନିର୍ବାଚନ ଫଳାଫଳରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି। ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଆଠଟି ସିଟ ମଧ୍ୟରୁ ୬ଟି ଜିତିଥିବାବେଳେ ପିଡିଏମ ମାତ୍ର ଦୁଇଟି ସିଟ ଜିତିଛି। ରିପୋର୍ଟରେ କୁହାଯାଇଛି ଯେ କ୍ଷମତାଠାରୁ ଦୂରରେ ରହିବା ପରେ ମଧ୍ୟ ଇମ୍ରାନ ଖାନ ଚୁପ ରହିନାହାଁନ୍ତି। ସେ ନିରନ୍ତର ସଂଗ୍ରାମ କରୁଛନ୍ତି, ରାଲି କରୁଛନ୍ତି ଏବଂ ବର୍ତ୍ତମାନ ସେ ଆଜାଦି ମାର୍ଚ୍ଚ ମଧ୍ୟ ଘୋଷଣା କରିଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ଗୋଟିଏ ପଟେ ପାକିସ୍ତାନ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଛି ଏବଂ ଅନ୍ୟ ପଟେ ଇମ୍ରାନ ଖାନଙ୍କ ଅଧିକ ସକ୍ରିୟତା ମଧ୍ୟ ଦେଶରେ ରାଜନୈତିକ ବିଶୃଙ୍ଖଳା ବୃଦ୍ଧି କରିଛି। ଏଭଳି ପରିସ୍ଥିତିରେ ଅର୍ଥନୈତିକ ସଙ୍କଟ ଗଭୀର ହେବା ସହିତ ପାକିସ୍ତାନ ଅଶାନ୍ତ ହେବାରେ ଲାଗିଛି। ଫଳସୱରୂପ, ପରିସ୍ଥିତି ବିଶୃଙ୍ଖଳିତ ହେବା ଯୋଗୁ ସୈନ୍ୟବାହିନୀକୁ ଯେକୌଣସି ସମୟରେ ହସ୍ତକ୍ଷେପ କରିବାକୁ ପଡିପାରେ ବୋଲି ଆଶଙ୍କା ଦେଖାଦେଇଛି।

 

Share