ନୂଆଦିଲ୍ଲୀ,୨୬।୧୧: ଭାରତର ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂର ଚର୍ଚ୍ଚା ଏବେ କେବଳ ଭାରତରେ ସୀମିତ ନାହିଁ, ପାକିସ୍ତାନରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏସିସି ମେନ୍ସ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ ବିପକ୍ଷରେ ମାତ୍ର ୫୩ ବଲ୍ରେ ୨୦୪ ରନ୍ର ଐତିହାସିକ ପାଳି ଖେଳିଥିବା ୧୫ ବର୍ଷୀୟ ବୈଭବଙ୍କୁ ଏବେ ପ୍ରଶଂସା କରିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ।
ବୈଭବଙ୍କ ପ୍ରଦର୍ଶନକୁ ନେଇ ସଲମାନ ବଟ କହିଛନ୍ତି, ବର୍ତ୍ତମାନ ସାରା ବିଶ୍ୱରେ କ୍ରିକେଟ ଖେଳାଯାଉଛି। କିନ୍ତୁ ଯେଉଁ ପିଚ୍ରେ ବୈଭବ ଯେଉଁ ଢଙ୍ଗରେ ବ୍ୟାଟିଂ କରୁଛନ୍ତି, ସେଭଳି ଖେଳୁଥିବା ଅନ୍ୟ କୌଣସି ଖେଳାଳି ନଜର ଆସୁନାହାନ୍ତି। ଭାରତ ଭଳି ଏକ ଶକ୍ତିଶାଳୀ ଦଳର ବ୍ୟାଟିଂ ଲାଇନଅପ ପୂର୍ବରୁ ହିଁ ବେଶ ମଜଭୁତ। ଯଦି ଏଭଳି ଦଳକୁ ବୈଭବଙ୍କ ଭଳି ଜଣେ ବ୍ୟାଟର୍ ମିଳିଯାଆନ୍ତି ଏବଂ ସେ ପ୍ରଥମ ୬ରୁ ୭ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ରହିଯାଆନ୍ତି, ତେବେ ଦଳକୁ ଏକ ଜବରଦସ୍ତ ଆରମ୍ଭ ମିଳିଥାଏ। ଏହାପରେ ପୂରା ଇନିଂସରେ ଦଳକୁ ଅଧିକ ଚିନ୍ତା କରିବାକୁ ପଡ଼େନାହିଁ। ବୈଭବଙ୍କ ସବୁଠାରୁ ବଡ଼ ଶକ୍ତି ହେଉଛି ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ। ଏଭଳି ଷ୍ଟ୍ରାଇକ ରେଟ୍ରେ ଲଗାତାର ରନ କରିବା ଅତ୍ୟନ୍ତ କଷ୍ଟକର। ମାତ୍ର ୧୫ ବର୍ଷ ବୟସରେ ଏଭଳି ପ୍ରଦର୍ଶନ ତାଙ୍କ ଅସାଧାରଣ ପ୍ରତିଭାର ପରିଚୟ ବୋଲି ସଲମାନ କହିଛନ୍ତି।
ୟୁଏଇ-ଏ ବିପକ୍ଷ ଏହି ମ୍ୟାଚ୍ରେ ବୈଭବ ୫୩ ବଲ୍ରେ ୨୦୪ ରନ କରିଥିଲେ। ତାଙ୍କ ଇନିଂସ୍ରେ ୭ଟି ଚୌକା ଓ ୨୮ଟି ଛକା ସାମିଲ ଥିଲା। ମାତ୍ର ୨୮ ବଲ୍ରେ ଶତକ ପୂରଣ କରି ସେ ଲିଷ୍ଟ-ଏ କ୍ରିକେଟ୍ର ଦ୍ରୁତତମ ଶତକ ରେକର୍ଡ ହାସଲ କରିଥିଲେ। ଏହାସହ ୪୦ ବଲ୍ରେ ୧୫୦ ରନ ଏବଂ ୫୨ ବଲ୍ରେ ଦ୍ୱିଶତକ ପୂରଣ କରି ନୂଆ ରେକର୍ଡ ସୃଷ୍ଟି କରିଥିଲେ। ଏହି ପାଳିରେ ସେ ଗୋଟିଏ ଓଭରର ସମସ୍ତ ୬ଟି ବଲ୍ରେ ଚୌକା ମାରିଥିଲେ। ସପ୍ତମ ଓଭରରେ ୬, ୪, ୪, ୬, ୬ ଓ ୪ ମାରି ମୋଟ ୩୦ ରନ ସଂଗ୍ରହ କରିଥିଲେ। ଗୋଟିଏ ଲିଷ୍ଟ-ଏ ଇନିଂସ୍ରେ ୨୮ଟି ଛକା ମାରି ସେ ଡାର୍ସି ସର୍ଟ ଓ ବେଭନ ଜାକବ୍ସଙ୍କ ଭଳି ଖେଳାଳିଙ୍କ ରେକର୍ଡକୁ ପଛରେ ପକାଇଛନ୍ତି।
ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୟୁଏଇ-ଏ ହରପ୍ରୀତ ସିଂହ ଭାଟିଆଙ୍କ ୧୩୦ ରନ୍ର ଶତକୀୟ ପାଳି ବଳରେ ୫୦ ଓଭରରେ ୮ ଉଇକେଟ ହରାଇ ୨୪୯ ରନ କରିଥିଲା। ଭାରତ ପକ୍ଷରୁ ଅର୍ଶଦ ଖାନ ୪ଟି ଉଇକେଟ ନେଇଥିଲେ। ଜବାବରେ ବୈଭବଙ୍କ ବିସ୍ଫୋରକ ଦ୍ୱିଶତକ ବଳରେ ଭାରତ-ଏ ମାତ୍ର ୧୪.୨ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ସହ ଭାରତ-ଏ ଟୁର୍ନାମେଣ୍ଟର ସେମିଫାଇନାଲ୍ଷର ନିଜ ସ୍ଥାନ ପକ୍କା କରିଥିଲା।