ଆଫଗାନିସ୍ତାନ ଯାଉଥିବା ଭାରତୀୟ ସହାୟତାକୁ ଚୋରି କରୁଛି ପାକିସ୍ତାନ…

କାବୁଲ, ୯।୬ : ଭାରତରୁ ଆଫଗାନିସ୍ତାନକୁ ପଠାଯାଉଥିବା ମାନବିକ ସହାୟତାକୁ ପାକିସ୍ତାନ ଚୋରି କରିବାରେ ଲାଗିଛି। ଥରେ ଏହି ସହାୟତା ଆଫଗାନିସ୍ତାନରେ ପହଞ୍ଚିବା ପରେ ଗହମରେ ପରିପୂର୍ଣ୍ଣ ଟ୍ରକ ଗୁଡିକ ପାକିସ୍ତାନକୁ ଫେରି ଆସୁଛି। ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ମେ ୩୧ ରେ, ତାଲିବାନ ସୁରକ୍ଷା ଅଧିକାରୀମାନେ ହେଲମାଣ୍ଡ ପ୍ରଦେଶର ପାକିସ୍ତାନକୁ ଯାଉଥିବା ବେଆଇନ ଭାବେ ଗହମ ବୋଝେେଇ ଟ୍ରକକୁ ଅଟକାଇଥିଲେ ବୋଲି ଖାମା ପ୍ରେସ ରିପୋର୍ଟ କରିଛି। ମେ ୩୦ ରେ ଗହମ ପରିବହନ କରୁଥିବା ଅନ୍ୟ ଟ୍ରକ ମଧ୍ୟ ହେରାଟ-କାନ୍ଦାହାର ରାଜପଥରେ ଧରାପଡିଛି ବୋଲି ହେଲମାଣ୍ଡ ପ୍ରଦେଶର ତାଲିବାନର ସୂଚନା ଓ ସଂସ୍କୃତି ନିର୍ଦ୍ଦେଶକ ହାଫିଜ ରସିଦ ହେଲମାଣ୍ଡି କହିଛନ୍ତି। ଗହମ ହେଲମାଣ୍ଡ ପ୍ରଦେଶର ୱାଶୀର କମ୍ପାନୀର ଟ୍ରକରେ ଥିଲା ବୋଲି କୁହାଯାଉଛି।

ଆଫଗାନିସ୍ତାନକୁ ପଠାଯାଉଥିବା ମାନବିକ ସହାୟତା ଏବଂ ବିତରଣ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଭାରତ ଗତ ସପ୍ତାହରେ କାବୁଲକୁ ଏକ ଅଧିକାରୀ ଦଳ ପଠାଇଥିଲା। ଏହାସହ ତାଲିବାନ ଅଧିକାରୀଙ୍କ ସହ ନୂଆଦିଲ୍ଲୀରୁ ପଠାଯାଇଥିବା ସହାୟତା ସମ୍ପର୍କରେ ଆଲୋଚନା ହୋଇଥିଲା।

ତାଲିବାନ କ୍ଷମତାକୁ ଆସିବା ପରେ ଏହା ଭାରତୀୟ ଦଳଙ୍କର ପ୍ରଥମ ଗସ୍ତ ଥିଲା। ଭାରତର ବିକାଶ ଏବଂ ମାନବିକ ସହାୟତା ଆଫଗାନିସ୍ତାନ ସମାଜର ସମସ୍ତ ବିଭାଗ ଦ୍ୱାରା ସ୍ବାଗତ କରାଯାଇଥିଲା। କୁହାଯାଉଛି ଯେ ଭାରତରେ ମଧ୍ୟ ପାକିସ୍ତାନୀ ଚୋରି କରୁଥିବାର ଖବର ରହିଛି। ସେଥିପାଇଁ ତାଲିବାନ ସହ ଆଲୋଚନା କରିବାକୁ ଏହି ଦଳ ପଠାଯାଇଥିଲା।

ପାକିସ୍ତାନ ବଦଳରେ ଇରାନର ଚାବାହାର ବନ୍ଦର ବାଟେ ସହାୟତା ପଠାଇବାକୁ ଭାରତ ତାଲିବାନର ସମ୍ମତି ଲୋଡିଛି। ଅବଶିଷ୍ଟ ସହାୟତାକୁ ପଶ୍ଚିମ ଉପକୂଳରେ ମୁମ୍ବାଇ, କାଣ୍ଡଲା କିମ୍ବା ମୁନ୍ଦ୍ରା ବନ୍ଦରରୁ ଇରାନର ଚାବାହାରକୁ ପଠାଇବାକୁ ପ୍ରସ୍ତାବ ଦିଆଯାଇଛି। ଏଠାରୁ ଏହା ସ୍ଥଳଭାଗ ଦେଇ ହେରାଟରେ ପହଞ୍ଚିବ। ଖବର ଅନୁଯାୟୀ, ତାଲିବାନ ମଧ୍ୟ ସହାୟତା ଯୋଗାଣ ମାର୍ଗ ପରିବର୍ତ୍ତନ ପାଇଁ ରାଜି ହୋଇଛି।

Share