ଚକିତ ପାକିସ୍ତାନ! ଟିମ ଇଣ୍ଡିଆକୁ ପ୍ରଶଂସାରେ ପୋତି ପକାଇଲେ ଶୋଏବ ଅଖତର

ନୂଆଦିଲ୍ଲୀ,୧୬।୧୧:ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଅଣ୍ଡର-୧୯ ଏସିଆ କପ ୨୦୨୬ ଫାଇନାଲ ମୁକାବିଲାରେ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ଶେଷ ବଲ ପର୍ଯ୍ୟନ୍ତ ଚାଲିଥିବା ଏହି ହାଇଭୋଲଟେଜ ମ୍ୟାଚ୍‌ରେ ଭାରତ ଗୋଟିଏ ଉଇକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ଭାରତର ଏହି ଐତିହାସିକ ବିଜୟ ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଟିମ ଇଣ୍ଡିଆର ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି। ତେବେ ଏହା ସହ ପାକିସ୍ତାନକୁ ଭଲ ଟିମ ବୋଲି କହିବାକୁ ମଧ୍ୟ ସେ ପଛାଇ ନାହାନ୍ତି।
ଅଣ୍ଡର-୧୯ ଏସିଆ କପ ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୩୩୭ ରନ ସଂଗ୍ରହ କରିଥିଲା। ଫଳରେ ଭାରତ ସାମ୍ନାରେ ୩୩୮ ରନ୍‌ର ବିଶାଳ ଲକ୍ଷ୍ୟ ରହିଥିଲା। ଜବାବରେ ଭାରତୀୟ ଦଳର ବ୍ୟାଟିଂ ଆରମ୍ଭରୁ ଭଲ ଥିଲେ ମଧ୍ୟ ମଧ୍ୟକ୍ରମରେ ଲଗାତାର ୱିକେଟ ପତନ ଦଳକୁ ଚିନ୍ତାରେ ପକାଇଥିଲା। ୪୨ତମ ଓଭରରେ ଭାରତର ଅଷ୍ଟମ ଉଇକେଟ ପତନ ବେଳକୁ ଦଳର ସ୍କୋର ମାତ୍ର ୨୫୨ ରନ ଥିଲା।
ଏକ ସମୟରେ ଭାରତର ବିଜୟ ଆଶା ପ୍ରାୟ ଶେଷ ହୋଇଯାଇଥିବା ଭଳି ଲାଗୁଥିଲା। କିନ୍ତୁ ଏହି ସମୟରେ ମନଲ ଚୌହାନ ଓ ମୋହିତ ଉଲୱା ଦଳର ଦାୟିତ୍ୱ ସମ୍ଭାଳିଥିଲେ। ଦୁହେଁ ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତକୁ ବିଜୟର ନିକଟତର କରିଥିଲେ। ଭାରତର ନବମ ୱିକେଟ ପତନ ବେଳକୁ ଦଳର ସ୍କୋର ୩୦୯ ରନ୍‌ରେ ପହଞ୍ଚିଥିଲା। ମନଲ ୪୭ ରନ କରି ଆଉଟ ହେବା ପରେ ମଧ୍ୟ ମୋହିତ ହାର ମାନିନଥିଲେ। ଶେଷରେ ଭେଙ୍କଟଙ୍କ ସହ ମିଶି ମ୍ୟାଚ୍‌ର ଅନ୍ତିମ ବଲ୍‌ରେ ଚୌକା ମାରି ଭାରତକୁ ରୋମାଞ୍ଚକର ବିଜୟ ଦେଇଥିଲେ।

ଭାରତର ଏହି ଚମତ୍କାର ବିଜୟ ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ ଭାରତୀୟ ଯୁବ ଖେଳାଳିଙ୍କ ଆକ୍ରମଣାତ୍ମକ ମନୋଭାବକୁ ପସନ୍ଦ କରିଥିବା କହିଛନ୍ତି। ଅଖତରଙ୍କ କହିବା ଅନୁସାରେ, ଭାରତୀୟ ଅଣ୍ଡର-୧୯ ଖେଳାଳିମାନେ ନିଜ ଖେଳରେ ଏଭଳି ଆକ୍ରମଣାତ୍ମକ ମନୋଭାବ ବଜାୟ ରଖିବା ଉଚିତ। ତେବେ ଏହା ସହ ସେ ପାକିସ୍ତାନ ଦଳକୁ ଅଧିକ ଭଲ ଟିମ ବୋଲି ମଧ୍ୟ ମତ ରଖିଛନ୍ତି। ସେ କହିଛନ୍ତି ଯେ, ପୂରା ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ବେଶ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ଫାଇନାଲରେ ଦଳ ଚାପକୁ ସଠିକ ଭାବେ ସମ୍ଭାଳି ପାରି ନ ଥିଲା। ଅନ୍ୟପଟେ ଭାରତୀୟ ଦଳ ଗୁରୁତ୍ୱପୂର୍ଣ୍ଣ ସମୟରେ ଚାପକୁ କିଭଳି ସମ୍ଭାଳିବାକୁ ହୁଏ, ତାହା ପ୍ରମାଣ କରିଦେଇଛି।

ଶୋଏବ ଅଖତରଙ୍କ ମତରେ, ଭାରତୀୟ ଦଳ ପାଖରେ ଆତ୍ମବିଶ୍ୱାସ ଓ ଦୃଢ଼ ମନୋବଳ ଥିଲା। ଏହା ସହ ଦଳରେ ଏଭଳି ଖେଳାଳି ଥିଲେ, ଯେଉଁମାନେ କଠିନ ପରିସ୍ଥିତିରେ ମଧ୍ୟ ମ୍ୟାଚ ଶେଷ କରିବାର କ୍ଷମତା ରଖନ୍ତି। ଫାଇନାଲର ଶେଷ ମୁହୂର୍ତ୍ତରେ ଭାରତ ଏହାକୁ ପ୍ରମାଣ କରିଛି। ଏହି ବିଜୟ କେବଳ ଭାରତୀୟ ଯୁବ ଖେଳାଳିଙ୍କ ପ୍ରତିଭା ନୁହେଁ, ବରଂ ଚାପ ସମୟରେ ଲଢ଼ିବାର ମାନସିକ ଦୃଢ଼ତାକୁ ମଧ୍ୟ ପ୍ରତିଫଳିତ କରିଛି।

 

Dharitri – Odisha’s No.1 Odia Daily

 

Share