ଇସଲାମାବାଦ,୬ ।୧୨: ପାକିସ୍ତାନର ଶହବାଜ ଶରିଫ ସରକାର ପେଟ୍ରୋଲ, ଡିଜେଲ ଏବଂ ଅଶୋଧିତ ତୈଳ ରିହାତି ମୂଲ୍ୟରେ କିଣିବା ପାଇଁ ଚୁକ୍ତି କରି ସାରିଛି । ଏହି ପଦକ୍ଷେପକୁ ଶାସକ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ(ପିଡିଏମ) ଏକ ବଡ ନୀତି ପରିବର୍ତ୍ତନ ରୂପେ ଦେଖୁଛି । ଚଳିତ ବର୍ଷ ଫେବୃୟାରୀରେ ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବାର କିଛିଦିନ ପରେ ତତ୍କାଳିନ ଇମ୍ରାନ ଖାଁ ସରକାର ରୁଷିଆ ସହ ଏମିତି ଚୁକ୍ତି କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ପରବର୍ତ୍ତି ମାସରେ ଇମ୍ରାନ ଖାଁ ଦେଶ ଭିତରେ ରାଜନୈତିକ ଜାଲରେ ଛନ୍ଦି ହୋଇ ପଡିଥିଲେ ଓ ଏପ୍ରିଲରେ ତାଙ୍କ ସରକାରଙ୍କ ପତନ ଘଟିଥିଲା । ଇମ୍ରାନ ଖାଁ ଅଭିଯୋଗ କରିଥିଲେ କି ରୁଷିଆ ସହିତ ତାଙ୍କର ପ୍ରସ୍ତାବିତ ଚୁକ୍ତି ହେତୁ ତାଙ୍କ ସରକାରକୁ ହଟାଇବାକୁ ବିଦେଶରେ ଷଡଯନ୍ତ୍ର କରାଯାଇଥିଲା ।


