Categories: ଜାତୀୟ

ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗକୁ ଚାହିଁ ବସିଛି ପାକିସ୍ତାନ: ଜାଣିଶୁଣି କରୁଛି ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୧୧।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ସୁଯୋଗ ପାଇଁ ପାକିସ୍ତାନ ଜାଣିଶୁଣି ଏଭଳି କରୁଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବୁଧବାର ସକାଳ ୯ଟା ୧୫ରେ ପୁଞ୍ଚ ଜିଲାର ଶାହପୁର, କେର୍ନି ଏବଂ କ୍ୱସବା ସେକ୍ଟର ଉପରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ସୀମା ନିକଟବର୍ତ୍ତୀ ଲଞ୍ଚପ୍ୟାଡ୍‌ରୁ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ତେବେ ଏହାର ଜବାବରେ ଭାରତୀୟ ଫରଓ୍ବାର୍ଡପୋଷ୍ଟ ଗୁଡ଼ିକରୁ ପାକିସ୍ତାନ ପୋଷ୍ଟକୁ ଲକ୍ଷ୍ୟ କରି ଗୁଳିଗୋଳା ମାଡ଼ କରାଯାଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ମଧ୍ୟ ଏସବୁ ଅଞ୍ଚଳରେ ମୋର୍ଟାର ଶେଲିଂ ମାଡ଼ କରାଯାଇଥିଲା।

Share