ଇମ୍ରାନଙ୍କ ଉପରେ ପାକିସ୍ତାନ ସେନାର ନାହିଁ ଭରସା

ଇସଲାମାବାଦ୍‌,୫।୪: ଆଜିକାଲି ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଚରମ ସୀମାରେ ପହଞ୍ଚିଛି। ଏହି ପରିସ୍ଥିତିରେ ପାକିସ୍ତାନ ସରକାର ଏବଂ ସେନା ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଅସ୍ଥିରତା ପଛରେ ଆମେରିକାକୁ ଦାୟୀ କରୁଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନୀ ସେନାର ଜେନେରାଲ କମର ବାଜୱା ଆମେରିକାର ପ୍ରଶଂସା କରିଛନ୍ତି। ବାଜୱା କହିଛନ୍ତି, ଆମର ଆମେରିକା ସହ ଭଲ ସମ୍ପର୍କ ଅଛି। ଜରୁରୀକାଳୀନ ପରିସ୍ଥିତିରେ ଆମେରିକା ଆମକୁ ବହୁତ ସାହାଯ୍ୟ କରିଛି। ତେଣୁ ତାକୁ ଦୋଷ ଦେବା ଉଚିତ୍‌ ନୁହେଁ। ଇମ୍ରାନ ଦାବି କରୁଥିବା ଚିଠି ଉପରେ କୌଣସି ଠୋସ୍‌ ପ୍ରମାଣ ନ ଥିବା ସେ କହିଛନ୍ତି।
ଇମ୍ରାନ ଖାନ ଦାବି କରିଛନ୍ତି, ଆମେରିକାରୁ ଏକ ଧମକପୂର୍ଣ୍ଣ ଚିଠି ଆସିଛି। ସେହି ଚିଠି ମୋ ବିରୋଧରେ ଥିଲା। ଚିଠିରେ ଆତ୍ମବିଶ୍ୱାସର ଅନାସ୍ଥା ପ୍ରସ୍ତାବ ବିଷୟରେ ଆଲୋଚନା ହୋଇଛି। ଚିଠିରେ କୁହାଯାଇଛି ଯେ ଯଦି ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ରୁହନ୍ତି, ତେବେ ଆପଣଙ୍କ ଦେଶ ସହ ଆମର ସମ୍ପର୍କ ନଷ୍ଟ ହୋଇଯିବ। ଯଦି ଇମ୍ରାନ ଖାନ ଚାଲିଯାଆନ୍ତି ତେବେ ଆମେରିକା ପାକିସ୍ତାନକୁ କ୍ଷମା କରିବେ। ମୋ ବିରୋଧରେ ବିଦେଶରେ ଏକ ଷଡଯନ୍ତ୍ର ହୋଇଛି।
ସୂଚନାଯୋଗ୍ୟ,ପ୍ରଧନମନ୍ତ୍ରୀ ଇମ୍ରାନ ଖାନଙ୍କ ବିପକ୍ଷରେ ରବିବାର ବିରୋଧୀ ଦଳଗୁଡିକ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ନ୍ୟାଶନାଲ୍‌ ଆସେମ୍ବଲି ଉପବାଚସ୍ପତି କାସିମ ସୁରି ଅସାମ୍ବିଧାନିକ ଦର୍ଶାଇ ଖାରଜ କରିଦେଇଛନ୍ତି। ଇମ୍ରାନ ଏହି ନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିଙ୍କ ହାତ ଥିବା ଦର୍ଶାଇ ପାର୍ଲାମେଣ୍ଟ ଭଙ୍ଗ ପାଇଁ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଭିଙ୍କୁ ସୁପାରିସ କରିଛନ୍ତି। ରାଷ୍ଟ୍ରପତି ନ୍ୟାଶନାଲ୍‌ ଆସେମ୍ବ୍ଲିକୁ ଭଙ୍ଗ କରି ୩ ମାସ ମଧ୍ୟରେ ସାଧାରଣ ନିର୍ବାଚନ କରାଇବାକୁ ପରାମର୍ଶ ଦେଇଛନ୍ତି। ଇମ୍ରାନଙ୍କ ଏହି ବିବାଦୀୟ ପଦକ୍ଷେପକୁ ବିରୋଦୀ ଦଳଗୁଡିକ ମିଳିତ ଭାବେ ପାକିସ୍ତାନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାର ଶୁଣାଣି ଆଜି ହେବ।

Share